ମୋଦୀଙ୍କୁ ଖୋଜୁଛି ସ୍ମାର୍ଟସିଟି ଅଳିଆ

ରାଜ୍ୟ ବିଜେପି ହାତରେ ଖଡ଼ା ସିଝିବନି

ଭୁବନେଶ୍ୱର: ଆଜ୍ଞା, ସହରର ସ୍ୱଚ୍ଛତା ରେଳଷ୍ଟେସନ୍‌ ନଚେତ୍‌ ହସ୍ପିଟାଲ ନିକଟରୁ ଜଣାପଡେ଼ । ଓଡ଼ିଶାର ସ୍ମାର୍ଟସିଟି ତାଲିକାରେ ନାମ ଦରଜ ହେବା ଦିନଠାରୁ ଭୁବନେଶ୍ୱର ବାସିନ୍ଦାଙ୍କ ମନ ନାଚିଯାଉଛି । କିନ୍ତୁ ସ୍ମାର୍ଟସିଟିର ସ୍ମାର୍ଟଅଳିଆ ଅବସ୍ଥିତି ଦେଖିଲେ, ଆଖି ଆଗରେ ନାଚିଯାଉଛି ଲମ୍ବା ଝାଡୁଟେ ଧରି ରାସ୍ତା ଉପରେ ବୁଲାଇ ଆଣୁଥିବା ଆମ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚେହେରା । ଥରେ ହେଲେ ଆସି ଟିକେ ଝାଡୁ ବୁଲାଇ ଦିଅନ୍ତେ; କଟକ ଓ ଭୁବନେଶ୍ୱର ଷ୍ଟେସନ୍‌ ଓ ହସ୍ପିଟାଲଗୁଡ଼ିକ ଅଳିଆ ଆବର୍ଜନା ଭିତରୁ ସବୁଦିନ ପାଇଁ ମୁକୁଳିଯାଆନ୍ତେ ।

ଆମେ ମୋଦୀଙ୍କ କଥା କାହିଁକି କହୁଛୁ କି, ବାବୁ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାହା; ସେ ଆଉ ଝାଡୁ ଧରି ଓଳାଇବା ସ୍ଥିତିରେ ନାହାନ୍ତି । ତେଣୁ ଆମ ଷ୍ଟେସନ୍‌ ରାସ୍ତାଟି ଅଳିଆ ଦୁର୍ଗନ୍ଧରେ ଫାଟିଯାଉଛି । କ୍ୟାପିଟାଲ ହସ୍ପିଟାଲ ରାସ୍ତାର ସ୍ଥିତି ମଧ୍ୟ ଦୟନୀୟ । ଜାତୀୟ ରାଜପଥ କଡ଼ରେ ଅଳିଆ ପାହାଡ଼ ଦିଶିଲାଣି । ଦାରୁଠେଙ୍ଗ ବିବାଦ କାରଣରୁ ରାଜଧାନୀରୁ ଅଳିଆ ହଟିବାର ନାଁ ଧରୁନି । ପ୍ରତିଦିନ ଦାରୁଠେଙ୍ଗ ଅଳିଆ ଗଦାକୁ ୧୦୦ ଟ୍ରିପ୍‌ ଅଳିଆ ଯାଏ । ମାତ୍ର ଅଳିଆ ଗାଡ଼ି ଧକ୍କାରେ ଦାରୁଠେଙ୍ଗର ଜଣେ ଯୁବକ ମରିବା ପରଠାରୁ ଆଉ ଅଳିଆ ଗାଡ଼ି ସେଠାକୁ ଯାଉନି । ମେୟର ଓ କମିଶନର ଦାରୁଠେଙ୍ଗ ଯାଇ ଗ୍ରାମବାସୀଙ୍କ ସହ ବହୁ ଆଲୋଚନା କଲେ; ମାତ୍ର ପରିଣାମ ଶୂନ ।
ଏବେ ଆସନ୍ତୁ ସୈନିକ ସ୍କୁଲ ଟିଟିଏସ୍‌ ଆଡେ଼ ଟିକେ ବୁଲିଆସିବା । ସେଠାର ସ୍ଥିତି ସଙ୍ଗୀନ; ଅଳିଆ ଗଦାର ଉଚ୍ଚତା ସୈନିକ ସ୍କୁଲକୁ ବଳାଇଲାଣି । କିଛି ଭିଆଇପି ଅଂଚଳକୁ ବାଦଦେଲେ ଅଧିକାଂଶ ସ୍ଥାନରୁ ଅଳିଆ କଢ଼ାଯାଉନି । ଡୁମୁଡୁମା, ଚନ୍ଦ୍ରଶେଖରପୁର, ନିଳାଦ୍ରିବିହାର, ଶୈଳଶ୍ରୀ ବିହାର ଅବସ୍ଥା ତଦ୍ରୁପ । ଅଳିଆ କାଢ଼ିବା ପାଇଁ ଲୋକ ନିଯୁକ୍ତ କରାଯାଇଛି । ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ତଥାପି ସ୍ଥିତି ସଙ୍ଗୀନ ହେବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥା ମନେପଡୁଛି । ରାଜଧାନୀବାସୀ ଆଉ ସପ୍ତାହେ ସମ୍ଭାଳିପାରିବେ; ତା’ରି ଭିତରେ ସମସ୍ୟାର ସମାଧାନ ଜରୁରୀ । ନହେଲେ ଖୋଦ୍‌ ନବୀନବାବୁ ହାତରେ ଝାଡୁ ଧରିବାକୁ ବାଧ୍ୟ ହେବେ । କାରଣ ରାଜଧାନୀବାସୀଙ୍କ ଚିନ୍ତା ନବୀନବାବୁଙ୍କୁ ବେଶି ପରା!