ବଡ଼ବଡ଼ ସହରରେ ଛୋଟଛୋଟ ଭୁଲ ଧରାଯାଏନା

ବିଦେଶୀ ଅତିଥିଙ୍କୁ ଖାଲରେ ପକାଇବା ଗୋଟେ ଖୁସି..

ଭୁବନେଶ୍ୱର: ହକି ବିଶ୍ୱକପ୍‌ ପାଇଁ ରାଜଧାନୀ ଭୁବନେଶ୍ୱରକୁ ଅନିନ୍ଦ୍ୟ ସୁନ୍ଦରୀ ରୂପ ଦେବାକୁ ଯାଇ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାର ମୁହଁକୁ କଳା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଁ ହେଇଁଆ ଠାକୁରଙ୍କୁ ନେଫଡା ପୂଜାରୀ ନ୍ୟାୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯେମିତି, ତାଙ୍କ ଠିକାଦାର ସଂସ୍ଥା କାମ କରିଛି ସେମିତି ।

ରାସ୍ତାଘାଟ ଓ ପାଚେରୀ ସୁନ୍ଦର କରାଗଲା । ପ୍ରମୁଖ ରାସ୍ତାକଡ଼ରେ ଠିଆ ହୋଇଥିବା ଗଛଗୁଡ଼ିକ ଆଲୋକମାଳାରେ ଝଲସିଲା । ହେଲେ ସବୁ ମୁକୁଳା ଡ୍ରେନ୍‌ ଉପରେ ଘୋଡ଼ଣି ପଡ଼ିଲାନି । ରାଜ୍ୟ ସରକାରଙ୍କ ଏଭଳି କାମ ସୁନ୍ଦରୀ ଗାଲରେ କଳାଜାଇ ଭଳିଆ । ହକି ବିଶ୍ୱକପ୍‌ ଆରମ୍ଭ ହେବାର ପୂର୍ବଦିନ ଜଣେ ବିଦେଶୀ ସାମ୍ବାଦିକ ସୁନ୍ଦରୀଙ୍କ ଗାଲର କଳାଜାଇରେ ନିଜକୁ ହଜାଇ ଦେଇଥିଲେ । ମନୁଷ୍ୟକୃତ ଗାତରେ ଉତର କୋରିଆ ସାମ୍ବାଦିକଙ୍କୁ ପକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ ଖୁସି ଅନୁଭବ କରିଛନ୍ତି । ତାଙ୍କ ହସଖୁସିଭରା ମୁହଁ ଦେଖି ସାରା ବିଶ୍ୱବାସୀ ବେଶ ଖୁସି ଅନୁଭବ କରିଛନ୍ତି । ୩୦ ବର୍ଷୀୟ ସାମ୍ବାଦିକ ତାଙ୍କ ମହିଳା ବାନ୍ଧବୀଙ୍କ ସହ ବୁଲୁବୁଲୁ ଗାତରେ ପଡ଼ିଗଲେ ।

ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସକୁ କଲ୍‌ କରି ଡାକିଥିଲେ । ମାତ୍ର ଦେଢ଼ଘଂଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଂଚି ନଥିଲା । ଫଳରେ ଗୋଟିଏ ଘରୋଇ ଗାଡ଼ିରେ ଆହତ ସାମ୍ବାଦିକଙ୍କୁ ବସାଇ ଖଣ୍ଡଗିରିସ୍ଥିତ ଆମ୍ରି ଡାକ୍ତରଖାନାକୁ ନିଆଯାଇଥିଲା । ସଂପୃକ୍ତ ବିଦେଶୀ ସାମ୍ବାଦିକ ଏବେ ସୁସ୍ଥ ଅଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତିଥି ଟ୍ରିଟ୍‌ମେଂଟକୁ ଜାତୀୟ ଓ ଅନ୍ତର୍ଜାତୀୟ ମହଲରେ ତୀବ୍ର ସମାଲୋଚନା କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ନିକଟତମ ମହଲର ଜଣେ ପ୍ରଶାସନିକ ଅଧିକାରୀଙ୍କ ମତରେ ‘ବଡ଼ବଡ଼ ସହରରେ ଏମିତି ଛୋଟଛୋଟ ଭୁଲ ମାମୁଲି ।’