ବେଦାନ୍ତର ଜନକଲ୍ୟାଣ ପଦକ୍ଷେପ ଖାଲି ପ୍ରଚାର ସର୍ବସ୍ୱ

ରାଜ୍ୟ ସରକାରଙ୍କ ବେଦାନ୍ତ ପ୍ରୀତିର କୁପରିଣାମ ଭୋଗୁଛନ୍ତି….

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବେଦାନ୍ତ ପ୍ରୀତିର କୁପରିଣାମ ଭୋଗୁଛନ୍ତି ଲାଞ୍ଜିଗଡ଼ ଅଧିବାସୀ । ଆଜି ବେଦାନ୍ତକୁ ସିଏସ୍‌ଆର ପୁରସ୍କାର ମିଳିବା ସୂଚନା ପାଇ ଏନ୍‌ୟୁବିସି ନେତା ସୀତାରାମ ବେହେରା ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୀତାରାମ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରିକରି ବେଦାନ୍ତ କମ୍ପାନୀ ଓଡ଼ିଶାବାସୀଙ୍କୁ ଯେତିକି ଲୁଟୁଛି, ସେହି ତୁଳନାରେ ସାମାଜିକ ପ୍ରତିବଦ୍ଧତା ପାଳନ କରୁନାହିଁ ।
ହାତଗଣତି ପ୍ରଶାସନିକ ଅଧିକାରୀଙ୍କୁ ତୋଷାମଦ କରି ବେଦାନ୍ତ ନବୀନବାବୁଙ୍କର ପୋଷ୍ୟପୁଅ ହୋଇଛି । ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ୍‌ ପକ୍ଷରୁ ହାତକୁ ନିଆ ଯାଇଥିବା ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମର ବାସ୍ତବ ସ୍ଥିତି ଅତ୍ୟନ୍ତ ଦୟନୀୟ ।
କମ୍ପାନୀର ଗୋଷ୍ଠୀ ବିକାଶ ପଦକ୍ଷେପ ଧର୍ମକୁ ଆଖିଠାର । କେବଳ ଆଲୁମିନା ଉତ୍ପାଦନକୁ ବାଦ୍‌ ଦେଲେ କମ୍ପାନୀ ଆଖପାଖ ଲୋକଙ୍କ ଆର୍ଥିକ ସ୍ଥିତିରେ ସେଭଳି ଆଖିଦୃଶିଆ ପରିବର୍ତନ ଘଟିନାହିଁ । କମ୍ପାନୀର ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମ କେବଳ କାଗଜପତ୍ରରେ ଚାଲିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, କ୍ରୀଡ଼ା ଓ କଳା ସଂସ୍କୃତି ପ୍ରତି କମ୍ପାନୀର ଅବଦାନ ଶୂନ କହିଲେ ଚଳେ ।

କମ୍ପାନୀର ଲୋକଙ୍କୁ ବିନା ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଣ ଉଦ୍ୟମ ସଂପୂର୍ଣ୍ଣ ବିଫଳ । ଜଣେ ଅବା ଦୁଇଜଣଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ସାରା ଅଂଚଳବାସୀଙ୍କୁ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଉଥିବା ଦାବିର ସତ୍ୟତା ନାହିଁ । ସେହିଭଳି ଅନ୍ୟାନ୍ୟ ସେବାଗୁଡ଼ିକ ମଧ୍ୟ ହାତଗଣତି । ମାତ୍ର ଶାସକ ଦଳର ନେତା, ବିଧାୟକ, ସାଂସଦଙ୍କ ମନଲାଖି ଭେଟି ଦେବା କାମଟିକୁ କମ୍ପାନୀ ଠିକ୍‌ ଭାବରେ ତୁଲାଇ ପାରିଛି ।