ମନ୍ଦିରରୁ ଚୋରି: ସୁନାରୁପା ଅଳଙ୍କାର ଓ ହୁଣ୍ଡିରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସାକ୍ଷୀଗୋପାଳ: ସାକ୍ଷୀଗୋପାଳର ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରରୁ ଗତକାଲି ବିଳମ୍ବିତ ରାତ୍ରିରେ ଚୋରି ହୋଇଛି । ଚୋରମାନେ ସାକ୍ଷୀଗୋପାଳ ଠାକୁରଙ୍କ ଚଳନ୍ତି ପ୍ରତିମା ମଦନମୋହନ ଦେବଙ୍କ ମନ୍ଦିର ତାଲା ଭାଙ୍ଗି ମନ୍ଦିର ପରିସରରୁ ୩ ଗୋଟି ହୁଣ୍ଡି ଓ ଠାକୁରଙ୍କର ସୁନା ଅଳଙ୍କାର ପାଉଁଜି, କୁଣ୍ଡଳ, କିରିଟି, ହାର ଆଦି ଚୋରି କରି ନେଇଯାଇଥିଛନ୍ତି । ତମାଳ ଗଛ ମୂଳେ ସ୍ଥାପିତ ହୁଣ୍ଡିର ତାଲା ଭାଙ୍ଗି ସମସ୍ତ ଟଙ୍କା ପଇସା ଲୁଟି ନେଇଛନ୍ତି ।

ମନ୍ଦିର ପରିସରରେ ଥିବା ଖଟଣି ରୋଷ ଘର ମଧ୍ୟରେ ୨ ଗୋଟି ହୁଣ୍ଡୀ ଭାଙ୍ଗି ଟଙ୍କା ପଇସା ଲୁଟି ନେଇଥିଲେ । ଆଉ ଗୋଟିଏ ହୁଣ୍ଡି ନେଇ ଯାଇଛନ୍ତି ।
ମନ୍ଦିର ପରିଦର୍ଶକଙ୍କ କାର୍ଯ୍ୟାଳୟ ତାଲା ଭାଙ୍ଗି ସି ସି କ୍ୟାମେରା ମନିଟରଟିକୁ ଚୋରି କରି ନେଇ ଯାଇଛନ୍ତି । ଚୋରମାନେ ମନ୍ଦିର ଦକ୍ଷିଣ ଦ୍ୱାର ବାଟେ ମନ୍ଦିରକୁ ପ୍ରବେଶ କରିଥିବାର ଅନୁମାନ କରା ଯାଉଛି । ଚୋରମାନେ ମୋଟ ଛଅଟି ତାଲା ଭାଙ୍ଗିଥିବାର ଜଣାପଡ଼ିଛି

ପୁଲିସ ସି ସି କ୍ୟାମେରା ହାର୍ଡ ଡିସ୍କଟିକୁ ଜବତ କରିଛି । ଘଟଣାସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ପ୍ରସାଦ ପତି, ଏସଡିପ ଓ ବିରଞ୍ଚି ନାରାୟଣ ପତି, ସତ୍ୟବାଦୀ ଆରକ୍ଷୀ ନିରୀକ୍ଷକ ବିଜୟ କେତନ ବେହେରା, ସେକେଣ୍ଡ ଅଫିସର ସୁରମା ସ୍ୱାଇଁ ଓ ଫରେନସିକ ଟିକ ଟିମର ବିରଜା ପ୍ରସାଦ ସାମଲ ଆଙ୍ଗୁଳି ଛାପ ବିଶେଷଜ୍ଞ, ଜିଲ୍ଲା ଅପରାଧ ତଦନ୍ତ ବିଜ୍ଞାନାଗାର ଅଧିକାରୀ ଆଦିତ୍ୟ ରଞ୍ଜନ ନାୟକ ଓ ଫଟୋଗ୍ରାଫର ରମେଶ ବାରିକ ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।