୨୪ ଘଣ୍ଟାରେ ବାତ୍ୟା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ଲଘୁଚାପ ମଙ୍ଗଳବାର ଅପରାହ୍ଣ ସାଢେ ୫ଟା ବେଳକୁ ଏକ ଅବପାତରେ ପରିଣତ ହୋଇଛି। ଏହା ଘନୀଭୂତ ହୋଇ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଜି ସନ୍ଧ୍ୟାରେ ବାତ୍ୟାରେ ପରିଣତ ହେବ। ପରେ ବାତ୍ୟା ସେହି ଦିଗ ବଜାୟ ରଖି ୧୧ ତାରିଖ ସକାଳେ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବାକୁ ଥିବାବେଳେ ସନ୍ଧ୍ୟାରେ ଦକ୍ଷିଣ-ପୂର୍ବ ଏବଂ ଏହାର ପାର୍ଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ।

ସମ୍ଭାବ୍ୟ ବାତ୍ୟା ଧୀରେ ଧୀରେ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରି ୧୪ତାରିଖ ପୂର୍ବାହ୍ନରେ ଦକ୍ଷିଣ-ପୂର୍ବ ବାଂଲାଦେଶ ଏବଂ ଉତ୍ତର ମିଆଁମାର ଉପକୂଳ ଦେଇ କକ୍ସ ବଜାର (ବାଂଲାଦେଶ) ଏବଂ କାୟାକ୍ପିୟୁ (ମିଆଁମାର) ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି। ଅବପାତଟି ପୋର୍ଟ ବ୍ଲେୟାର ଠାରୁ ଦକ୍ଷିଣ-ପଶ୍ଚିମରେ ୫୧୦ କିମି ଦୂରରେ ଘନୀଭୂତ ହେଉଥିବା ବେଳେ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ କକ୍ସ ବଜାର (ବାଂଲାଦେଶ)ଠାରୁ ୧୪୮୦ କିମି ଦୂରରେ ରହିଛି।