ସୁନ୍ଦରଗଡ଼ ଜିଲ୍ଲାରେ ବାରୁଦ ଲୁଟ ମାମଲାର ଖୋଳତାଡ଼ କରି ପୁଲିସ ମଙ୍ଗଳବାର ଦିନ ବାରୁଦ ଗୋଦାମ ମାଲିକଙ୍କୁ ଗିରଫ କରିଛି । ଗୋଦାମ ମାଲିକଙ୍କ ନାମ ଶ୍ରବଣ ଅଗ୍ରୱାଲ । ଅଭିଯୁକ୍ତକୁ ରାଉରକେଲା ଅନ୍ତର୍ଗତ ରଘୁନାଥପଲୀ ଥାନା ପ୍ରଥମେ ଧରିଥିଲା । ମାମଲାଟି ଏସ୍ଆଇଟି ହାତକୁ ଚାଲି ଯାଇଥିଲା । ତଦନ୍ତକାରୀ ଟିମ୍ ପ୍ରଥମେ ବାରୁଦ ଭର୍ତି ଟ୍ରକ ଚାଳକକୁ ଥାନାକୁ ନେଇ ଜେରା କରିଥିଲା । ମାଓବାଦୀଙ୍କ ସହିତ ଶ୍ରବଣ ଅଗ୍ରୱାଲଙ୍କର ନିବିଡ଼ ସଂପର୍କ ଜାଣିବା ପୁଲିସ ପାଇଁ ବଡ଼ ଚାଲେଞ୍ଜ ହୋଇଛି ।
ସବୁଠାରୁ ବଡ଼ କଥା ହେଉଛି, ବାଙ୍କୋ ଷ୍ଟୋନ୍ କ୍ୱାରି ଅଭିମୁଖେ ବାରୁଦ ଭର୍ତି ଟ୍ରକ ଯାଉଥିବା କଥା ମାଓବାଦୀଙ୍କ କାନରେ ପକାଇଲା କିଏ? ଟ୍ରକରେ ଚାରିଟନ୍ ବିସ୍ଫୋରକ ଯାଉଥିବା କଥା ପୁଲିସ କହୁଛି ।
ଟ୍ରକଟିକୁ ଅପହରଣ କରି ବିପୁଳ ବାରୁଦ ଲୁଟିବା ଯୋଜନାରେ ଥିଲା ମାଓବାଦୀ ସଂଗଠନ । ମାତ୍ର ପୁଲିସ ମାଓବାଦୀଙ୍କ ସବୁ ଯୋଜନା ପଣ୍ଡ କରିଦେଲା । ଖବର ପାଇବା ମାତ୍ରେ ସିଆରପିଏଫ୍, ଏସ୍ଓଜି ଓ କୋବ୍ରା ୟୁନିଟର ବଚ୍ଛା ବଚ୍ଛା ଯବାନମାନେ ସଂପୃକ୍ତ ଜଙ୍ଗଲକୁ ଘେରାଉ କରି କମ୍ବିଂ ଅପରେସନ୍ ଆରମ୍ଭ କରିଦେଲେ । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲରେ ବେଶ କିଛି ସମୟ ଧରି ଖଣ୍ଡଯୁଦ୍ଧ କରି ମାଓବାଦୀ ପଳାୟନ କରିଥିଲେ । ପୁଲିସ ପ୍ରାୟ ୩ ଟନ୍ ବାରୁଦ ଉଦ୍ଧାର କରିପାରିଛି ।