ଆଶ୍ଚର୍ଯ୍ୟ ହେଲେ ବି ସତ: ନାବାଳକ କାମୁଡ଼ାରେ ମରିଗଲା ସାପ

କିନ୍ତୁ ସାପକୁ ଦେଖି ମୋ ମନରେ ରାଗ ଆସିଲା…..

ରାୟଗଡ଼ା: ସାପ କାମୁଡ଼ାରେ ପିଲାଟିଏ ପ୍ରାଣ ହରାଇବା ଖବର ପଢ଼ିଥିବେ । ଆଜି ଜଣେ ନାବାଳକକୁ ଦଂଶନ କରିବା ପରେ ସାପଟିଏ ପ୍ରାଣ ହରାଇଛି । ଛତିଶଗଡ଼ ରାଜ୍ୟର ଜଶପୁର ଜିଲ୍ଲାରେ ତପକରା ସମେତ ଆହୁରି ଅନେକ ଇଲାକାରେ ସାପ କାମୁଡ଼ାରେ ବହୁତ ଲୋକ ପ୍ରାଣ ହରାଉଥିବାର ଖବର ଶୁଣିବାକୁ ମିଳେ । ପ୍ରତିବର୍ଷ ସାପ କାମୁଡ଼ାରେ ୧୨ରୁ ଅଧିକ ଆଦିବାସୀଙ୍କର ପ୍ରାଣହାନି ଘଟିଥାଏ । ମାତ୍ର ଏବେ ଗାର୍ଡନ ତହସିଲ ଅନ୍ତର୍ଗତ ପଣ୍ଡାରାପଥ ଗାଁରେ ପିଲାଟିଏ ଘର ଭିତରେ ଖେଳୁଥିବା ବେଳେ ବିଷଧର ସାପଟିଏ କାହୁଁ ଆସି ତାକୁ ଦଂଶନ କରିଥିଲା ।

ଯନ୍ତ୍ରଣାରେ ଚିକ୍ରାର କରୁଥିଲା ବେଳେ ପିଲାଟି ମନରେ ମଧ୍ୟ କ୍ରୋଧ ଆସିଲା । ସେ ସାପଟିକୁ ଧରି ୨-୩ଟି ଜାଗାକୁ କାମୁଡ଼ି ପକାଇଲା । ଆଶ୍ଚର୍ଯ୍ୟର କଥା, ପିଲାଟିର କାମୁଡ଼ା ଖାଇ ସାପଟି କିଛି ସମୟ ପରେ ମରିଗଲା । ଯୋଉ ପିଲାଟିର କାମୁଡ଼ା ଖାଇ ସାପଟି ମରିଗଲା । ସେ ପିଲାଟି ଛତିଶଗଡ଼ର ଦୁର୍ଗମ ଅଂଚଳରେ ବାସ କରୁଥିବା କୋରବା ଜନଜାତିର । କୋରବା ଜନଜାତି ଏବେ ବିଲୁପ୍ତ ହେବାକୁ ବସିଛି । ହାତଗଣତି କିଛି ପରିବାର ଭିତରେ ସେହି ଜନଜାତି ସୀମିତ ହୋଇରହିଛି ।

ସରକାର ପ୍ରତିବର୍ଷ ଉକ୍ତ ଜନଜାତିର ବିକାଶ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ସରକାରୀ ନଥିପତ୍ର କହୁଛି । ମାତ୍ର ପ୍ରକୃତ ଚିତ୍ର ତାହା ନୁହେଁ । ଆଉ ଗୋଟିଏ ରୋଚକ ଘଟଣା ହେଉଛି, ଆମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବଂଶଜ ସହିତ କୋରବା ଜନଜାତିଙ୍କର ରକ୍ତଗତ ସଂପର୍କ ଥିବା କଥା ସାମ୍ନାକୁ ଆସିଛି । ସାପ ଦଂଶନର ଶିକାର ହୋଇ ମୃତ୍ୟୁମୁଖରୁ ଫେରି ଆସିିଥିବା ୧୦ ବର୍ଷର ନାବାଳକ ଦୀପକ କହିିଛି, ମୁଁ ମୋ ଭଉଣୀକୁ ଖେଳାଉ ଥିଲାବେଳେ ସାପଟି ପଛପଟୁ ଆସି ପିଠିରେ ଚଢ଼ିଗଲା ଓ ଚୋଟ ମାରିଲା ।

ସାପ କାମୁଡ଼ି ପଳାଉଥିଲା; ମୋତେ ଭୀଷଣ କଷ୍ଟ ହେଉଥାଏ । କିନ୍ତୁ ସାପକୁ ଦେଖି ମୋ ମନରେ ରାଗ ଆସିଲା । ସାପକୁ ମାଡ଼ିବସିଲି; ଦାନ୍ତ ଲଗାଇ କାମୁଡ଼ିବାକୁ ଲାଗିଲି । ସାପଟିକୁ ଚାରି ପାଂଚଥର କାମୁଡ଼ିବା ପରେ ଫିଙ୍ଗିଦେଲି । ପରେ ମୋ ମା’ ଓ ଭଉଣୀ ମିଶି ମୋତେ ଡାକ୍ତରଖାନା ନେଇଗଲେ । ପିଲାଟି ଡାକ୍ତରଖାନା ଚାଲିଯିବା ପରେ ଗାଁ ଲୋକମାନେ ସାପଟି ମରିଯାଇଥିବାର ଦେଖିବାକୁ ପାଇଲେ । ଏଭଳି ଆଶ୍ଚର୍ଯ୍ୟ ଘଟଣା ଶୁଣିବା ପରେ ସର୍ପ ବିଶେଷଜ୍ଞ ଡାକ୍ତର କେଶର ହୁସେନ କହନ୍ତି, ସାପଟି ପିଲାଟିକୁ ଦଂଶନ କରିନି କାମୁଡ଼ିଛି ।

ଦଂଶନ କରିବା ଫଳରେ ସାପ ବିଷ ପିଲାଟି ଶରୀରକୁ ପ୍ରବେଶ କରିଥାଏ । କିନ୍ତୁ ଦୀପକ କ୍ଷେତ୍ରରେ ସାପଟି କାମୁଡ଼ିଥିଲା । କାମୁଡ଼ିବା ଫଳରେ ସାପର ବିଷ ପିଲାଟିର ଶରୀରରେ ପ୍ରବେଶ କରି ନଥିଲା । ଆପଣମାନେ ଶୁଣିଥିବେ, ଗୁଣିଆ ଝଡ଼ାଫୁଙ୍କା କରି ସାପ କାମୁଡ଼ିଥିବା ଲୋକକୁ ବଂଚାଇ ଦେଇଛନ୍ତି । ସେ କ୍ଷେତ୍ରରେ ବାସ୍ତବରେ ସାପ ବିଷ ଲୋକଙ୍କ ଶରୀରକୁ ଚରି ନଥାଏ । ସାପ କାମୁଡ଼ିବା ଓ ଦଂଶନ କରିବା କଥା ସଂପୂର୍ଣ୍ଣ ଅଲଗା ।

ଦୀପକ କ୍ଷେତ୍ରରେ ଡାକ୍ତରମାନେ ସାପକାମୁଡ଼ା ଇଞ୍ଜେକସନ୍‌ ଦେଇ ତା’କୁ ବଂଚାଇ ଦେଇଚନ୍ତି । କିନ୍ତୁ ପିଲାଟି ସାପକୁ ଧରି କାମୁଡ଼ିବା ଫଳରେ ସାପଟି ଗୁରୁତର ଆହତ ହୋଇ ମରିଯାଇଛି । ମାଟିରେ ଘୁଷୁରି ଘୁଷୁରି ଯାଉଥିବା ଜୀବ ପିଲାଟିର କାମୁଡ଼ା ଖାଇବା ପରେ ଆଉ ତୀବ୍ରଗତିରେ ପଳାଇବ କିପରି?

କିନ୍ତୁ ସରଳ ଜନଜାତି ଲୋକମାନେ ପ୍ରକୃତ ସତକୁ ସ୍ୱୀକାର କରିବାକୁ ନାରାଜ । ସେମାନଙ୍କ ମତରେ ପିଲାଟି ନିକଟରେ କିଛି ଐଶ୍ୱରିକ ଶକ୍ତି ଅଛି ଯାହା ଫଳରେ ସାପଟି କାମୁଡ଼ିବା ପରେ ମଧ୍ୟ ପିଲାଟିର କିଛି ହେଲାନି । କିନ୍ତୁ ପିଲାଟିର କାମୁଡ଼ା ଖାଇ ସାପଟି ମରିଗଲା ।