ପିଲାଙ୍କୁ ସଂସ୍କୃତି ସହିତ ଯୋଡିଛି ସୂର୍ୟ୍ୟଜ୍ୟୋତି କଳାକେନ୍ଦ୍ର

ଭୂବନେଶ୍ୱର: ପିଲାମାନେ ପାଠ ପଢିବା ସହିତ ନାଚଗୀତରେ ମସ୍‌ଗୁଲ ହୁଅନ୍ତି, ଚିତ୍ର ଆଙ୍କନ୍ତି, ବକ୍ତୃତାରେ ମଧ୍ୟ ଅଂଶ ଗ୍ରହଣ କରନ୍ତି । ଏ ସବୁ ସେମାନଙ୍କୁ ଆନନ୍ଦ ଦେବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ଆମ କଳା ସଂସ୍କୃତି ସହିତ ଯୋଡିବାରେ ମୁଖ୍ୟ ମାଧ୍ୟମ ହୋଇଥାଏ ଏବଂ ଏହି ଉଦ୍ଦେଶ୍ୟକୁ ପରିପୂରଣ କରିବା ନିମନ୍ତେ ସୂର୍ୟ୍ୟଜ୍ୟୋତି କଳାକେନ୍ଦ୍ର ଗଠନ ହୋଇଛି ବୋଲି ଏହାର ପ୍ରଥମ ବାର୍ଷିକ ଉତ୍ସବରେ ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଆଜି ରବନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ଉପସ୍ଥିତ ଥିବା ଅତିଥିମାନେ ହେଲେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର, ଡିନ୍ ଉଇସ୍ମ ଟ୍ରି ଗ୍ଲୋବାଲ ସ୍କୁଲର ଉପାଧ୍ୟକ୍ଷ ପଞ୍ଚମୀ ମାନୁ ଉକିଲ, ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ନୀତା ବୋହିଦାର, ଶିଶୁ ସାହିତ୍ୟିକ ଶରତ କୁମାର ନାୟକ, ବିଶିଷ୍ଟ ସଂଗୀତ ଗୁରୁ ଲକ୍ଷ୍ମୀକାନ୍ତ ପାଲିତ୍, ଆକ୍ସିସ୍ ବ୍ୟାଙ୍କର ଅଧିକାରୀ ଅଭିଜିତ୍ ଦତ୍ତ, ପଦାର୍ଥ ବିଜ୍ଞାନୀ ପ୍ରଫେସର ନିରଞ୍ଜନ ବାରିକ୍, ବିଶିଷ୍ଟ କଣ୍ଠଶିଳ୍ପୀ ଦିବ୍ୟରଞ୍ଜନ ପଟ୍ଟନାୟକ, ଜ୍ୟୋତିର୍ବିଦ, ବାସ୍ତୁବିଦ୍ ଓ ସମାଜସେବୀ ନାରାୟଣ ପତି, ପ୍ରଜ୍ନାଧାରା ମିଶ୍ର ଓ ଡ. ସ୍ୱାତୀ ମିଶ୍ର । ଏହି ପ୍ରମୁଖ ଅତିଥିମାନେ ଉପସ୍ଥିତ ପିଲା ଓ ଅଭିଭାବକଙ୍କ ଉଦ୍ଦେଶ୍ୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ସହିତ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ।

ଏହି ଉତ୍ସବରେ “ସୌରପ୍ରଭା” ନାମକ ଏକ ବାର୍ଷିକ ପତ୍ରିକା ଉନ୍ମୋଚନ କରାଯାଇଥିଲା ଏବଂ ସମସ୍ତଙ୍କୁ ସୌରପ୍ରଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ପ୍ରଥମେ ଜୟ ଭଗବତୀ, ଶିବ ଚରଣାମୃତ, ପଲ୍ଲବୀ ଏବଂ ବିଭିନ୍ନ ପ୍ରକାର ଲୋକନୃତ୍ୟ ପରିବେଷଣ କରିଥିଲେ, ଯାହା ସମସ୍ତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥୁଲା । ଉତ୍ସବ ଆରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ସୂର୍ୟ୍ୟକାନ୍ତ ସ୍ୱାଇଁ ଆଭିମୁଖ୍ୟ  ସମ୍ପର୍କରେ ବକ୍ତବ୍ୟ ରଖୁଥିବା ବେଳେ ଅଧ୍ୟକ୍ଷା ଗୁରୁ ଜ୍ୟୋତିର୍ମୟୀ ଦାସ ମଂଚରେ ଉପସ୍ଥିତ ରହି କୁନି କୁନି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଜଣାଶୁଣା ଘୋଷକ ଶ୍ରୀନିବାସ ଘାଟୁଆରୀ ମଂଚ ପରିଚାଳନା ସହିତ କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ । ସମ୍ପାଦିକା ଡ. ମଧୁମିତା ଦାସଗୁପ୍ତାଙ୍କ ପ୍ରଚେଷ୍ଟା ରେ ସୂର୍ୟ୍ୟ ଜ୍ୟୋତି କଳାକେନ୍ଦ୍ର ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କର ବର୍ଷକର ଅନୁଭୂତିକୁ ଉଲ୍ଲେଖ କରାଯାଇଛି, ଯାହା ସମସ୍ତଙ୍କର ମନକୁ ଆପ୍ୟାୟିତ କରିଛି । ସୂର୍ୟ୍ୟ ଜ୍ୟୋତି କଳା କେନ୍ଦ୍ର ର ପ୍ରଥମ ବାର୍ଷିକ ନୃତ୍ୟ କାର୍ୟ୍ୟକ୍ରମ କୁ ଉପସ୍ଥିତ ଅତିଥି ଙ୍କ ସମେତ ସମସ୍ତ ଦର୍ଶକ ଓ ଅଭିଭାବକ ମାନେ ଉଚ୍ଚ ପ୍ରଶଂସା କରିଥିଲେ