କୁନୋ ପାର୍କରୁ ଚିତା ଫେରାର୍

ନୂଆଦିଲ୍ଲୀ : ଫେରାର୍ ହୋଇଗଲା ଚିତା । ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ । ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କରୁ ଚିତା ଫେରାର ହୋଇଯାଇଥିବା ଖବର ମିଳିଛି। ପାର୍କ ଠାରୁ ୨୦ କିଲୋମିଟର ଦୂର ଗାଁ ନିକଟରେ ତାକୁ ଠାବ କରାଯାଇଛି । ଏପରିକି ଚିତାଟି ଗାଁରେ ଏକ ଗାଈକୁ ମଧ୍ୟ ଶିକାର କରିଛି । ଚିତା ଭୟରେ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଚିତା ଦେହରେ ଲାଗିଥିବା ରେଡିଓ କଲାରରୁ ଜଣାପଡ଼ିବା ପରେ ଜଙ୍ଗଲ ବିଭାଗ ଓ ଚିତା ମିତ୍ରମାନେ ଗାଁରେ ପହଞ୍ଚିଛନ୍ତି । ଏହି ଟିମରେ ପ୍ରାୟ ୫୦ ଜଣ ଅଧିକାରୀ, ବିଶେଷଜ୍ଞ, ଡାକ୍ତର ଓ କର୍ମଚାରୀ ଅଛନ୍ତି । ସେମାନେ ଚିତାକୁ ପାର୍କକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି ।

ପ୍ରଥମେ ତାକୁ ମାଂସରେ ନିଶା ଔଷଧ ମିଶାଇ ବେହୋସ୍ କରାଯିବା ପରେ ପାର୍କକୁ ଫେରାଇ ଅଣାଯିବ । ସେଥିପାଇଁ ଗାଁ ଆଖପାଖରେ ନିଶା ଔଷଧ ମିଶା ମାଂସ ଫିଙ୍ଗା ଯାଉଛି । ନହେଲେ ଟ୍ରାଙ୍କୁଲାଇଜ୍ କରାଯାଇ ପିଞ୍ଜରାରେ ପୁଣି ପାର୍କକୁ ଫେରାଇ ଅଣାଯିବ । ପଳାଇ ଯାଇଥିବା ଚିତାକୁ କେତେବେଳେ ପାହାଡ ଉପରେ ତ ଆଉ କେତେବେଳେ ଗଛ ଆଢୁଆଳରେ ଦେଖିବାକୁ ମିଳୁଛି । ମାର୍ଚ୍ଚ ୨୨ ତରିଖରେ ଏହି ଚିତାକୁ ପାର୍କରୁ ବାହାର କରି ଏହା ନିକଟସ୍ଥ ମୁକ୍ତ ଅଞ୍ଚଳରେ ଛଡ଼ାଯାଇଥିଲା