ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପବିତ୍ର ଜନ୍ମାଷ୍ଟମୀ

ପବିତ୍ର ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । କିମ୍ବଦନ୍ତୀ ଅନୁସାରେ, ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣ, ଦେବକୀ ଓ ବସୁଦେବଙ୍କ ପୁତ୍ର ଭାବେ ମଥୁରାରେ ଜନ୍ମ ଗ୍ରହଣ କରିଥିଲେ । ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପବିତ୍ର ଜନ୍ମାଷ୍ଟମୀ ଉତ୍ସବମୁଖର ହୋଇପଡ଼ିଛି ଓଡ଼ିଶାର ପୁରପଲ୍ଲୀରେ । କରୋନା ମହାମାରୀ ଯୋଗୁଁ ଏଥର ବିନା ଭକ୍ତରେ ମନ୍ଦିର ଓ ମଠଗୁଡ଼ିକରେ ପାଳନ କରାଯାଇଛି ଜନ୍ମାଷ୍ଟମୀ।
ଧର୍ମର ରକ୍ଷା ପାଇଁ ଅଧର୍ମର ବିନାଶ ପାଇଁ ସ୍ୱର୍ଗ ଲୋକରୁ ମର୍ତ୍ତ୍ୟ ଲୋକକୁ ଓହ୍ଲାଇଥିଲେ #ପ୍ରଭୁ ଶ୍ରୀକୃଷ୍ଣ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିର ମଧ୍ୟ ରାତ୍ରିରେ ମାଆ ଦେବକୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ଗୋଲକବିହାରୀ । ଅତ୍ୟାଚାରୀ ମାମୁଁ କଂସର ଭୟରେ ପିତା ବସୁଦେବ ନବଜାତ ଶିଶୁକୁ ନିଜ ମିତ୍ର ଗୋପପୁରର ନନ୍ଦ-ଯଶୋଦାଙ୍କ ପାଖରେ ଛାଡି ଦେଇ ଆସିଥିଲେ । ଗୋପପୁରର ରାଜା ନନ୍ଦବାବା ଓ ରାଣୀ ଯଶୋଦା ମାତା ଶ୍ରୀକୃଷ୍ଣଙ୍କୁ ପାଇ ଖୁସିରେ ବିଭୋର ହୋଇଯାଇଥିଲେ । ଆଉ ସେହି ଦିନରୁ #ଜନ୍ମାଷ୍ଟମୀ ପର୍ବ ମହାଉଲ୍ଲାସ ମଧ୍ୟରେ ପାଳନ କରାଯାଉଛି।

କୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ଏବଂ ସେ ବଢ଼ିଥିବା ସ୍ଥାନ ବୃନ୍ଦାବନରେ ଏହି ଦିନରେ ପ୍ରବଳ ଜନସମାଗମ ହୁଏ । ଏହି ଉପଲକ୍ଷେ କୃଷ୍ଣଲୀଳା ଅନୁଷ୍ଠିତ ହୁଏ। ଓଡ଼ିଶାରେ ପୁରପଲ୍ଲୀରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳନ କରାଯାଏ । ଓଡ଼ିଶାରେ ବୈଷ୍ଣବ ମତବାଦର ବହୁଳ ପ୍ରଭାବ ରହିଥିବାରୁ ଏହି ପର୍ବ ଓଡ଼ିଆ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି ।
ଏହିଦିନ ଲୋକେ ଉପବାସ ବ୍ରତ ରଖିଥାନ୍ତି ଓ ମଧ୍ୟ ରାତ୍ରୀରେ କୃଷ୍ଣଜନ୍ମ ଉତ୍ସବ ପାଳନ ପରେ ଉପବାସ ଭଙ୍ଗ କରିଥାନ୍ତି । ଏହିଦିନ ଗାଁର ଭାଗବତ ଟୁଙ୍ଗିମାନଙ୍କରେ ଅଥବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ । ହରିବଂଶ ପୁରାଣ ଅତି ଦୀର୍ଘ ହୋଇଥିବାରୁ କେଉଁଠି କେଉଁଠି ଖଣ୍ଡିକିଆ ହରିବଂଶ ମଧ୍ୟ ପଢ଼ାଯାଇଥାଏ। ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ। ନନ୍ଦରାଜ ଓ ଯଶୋଦା ରାଣୀଙ୍କ ଆନନ୍ଦକୁ ମନେ ପକାଇବା ପାଇଁ ଏହି ଦିନ ଲୋକେ ଗାୟନ କୀର୍ତ୍ତନ କରିଥାନ୍ତି ।