ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ବିଜେପି ସଂକଳ୍ପବଦ୍ଧ

ଭୁବନେଶ୍ୱର: ଦୀର୍ଘ ୪୨ ବର୍ଷର ଯାତ୍ରା ପୁରଣ କରି ଭାରତୀୟ ଜନତା ପାର୍ଟୀ ଆଜି ୪୩ ତମ ପ୍ରତିଷ୍ଠା ଦିବସ ଦେଶବ୍ୟାପୀ ପାଳନ କରିଛି । ସମୟ, ସମର୍ପଣ ଓ ବଳିଦାନ ଦେଇ ପାର୍ଟିର ସଂଗଠନକୁ ମଜଭୁତ୍‌ କରିଥିବା ଏବଂ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାବେ ଗଢି ତୋଳିଥିବା ସମସ୍ତ କାର୍ଯ୍ୟକର୍ତା ଚିର ସ୍ମରଣୀୟ ହୋଇ ରହିବା ସହିତ ଆମ ସମସ୍ତଙ୍କୁ ସର୍ବଦା ପ୍ରେରଣା ଯୋଗାଇବ । ପ୍ରତିଷ୍ଠା ଦିବସ ଅବସରରେ ସ୍ମୃତିଚାରଣ କରି ସେହି କାର୍ଯ୍ୟକର୍ତାମାନଙ୍କୁ କୋଟି କୋଟି ପ୍ରଣାମ ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ।

ଆଜି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ପତାକା ଉତୋଳନ କରିଥିଲେ । ଏହା ପରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପାର୍ଟିର ପ୍ରତିଷ୍ଟାତା ସଭାପତି ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ସାଧାରଣ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।ପ୍ରତିଷ୍ଠା ଦିବସ ଅବସରରେ ପ୍ରଥମ ବିଜେପି ବିଧାୟକ ପ୍ରସନ୍ନ ପଟ୍ଟନାୟକ ଏବଂ ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ନିର୍ମଳ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।ପ୍ରତିଷ୍ଠା ଦିବସ ଅବସରରେ କାର୍ଯ୍ୟକର୍ତାଙ୍କ ଗହଣରେ ରାଜ୍ୟ ସଭାପତିଙ୍କ ସମେତ ରାଜ୍ୟ ପଦାଧିକାରୀମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ଶୁଣିଥିଲେ । ବିଜେପି ପ୍ରତିଷ୍ଠା ଦିବସ ପାଳନ ଅବସରରେ କାର୍ଯ୍ୟକର୍ତାମାନେ ନିଜ ନିଜ ଘରେ ଦଳୀୟ ପତାକା ଉତୋଳନ କରିଥିଲେ ଏବଂ ରାଜ୍ୟର ସମସ୍ତ ଜିଲ୍ଲା ଓ ମଣ୍ଡଳରେ ବହୁ ଉତ୍ସାହର ସହିତ ପାଳନ କରାଯାଇଛି ।

ଓଡିଶାରେ ବିଜେପିକୁ ଯେଉଁଭଳି ଜନସମର୍ଥନ ମିଳୁଛି ତାହା ଅତ୍ୟନ୍ତ ଉତ୍ସାହଜନକ ଏବଂ ମୁଖ୍ୟ ବିରୋଧୀ ଦଳ ଭାବେ ରାଜ୍ୟବାସୀ ଯେଉଁ ଦାୟିତ୍ୱ ପ୍ରଦାନ କରିଛନ୍ତି,ତାକୁ ସୁଚାରୁ ରୂପେ ନିର୍ବାହ କରି ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ଆମେ ସଂକଳ୍ପବଦ୍ଧ । ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଏବଂ ବର୍ତମାନର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ କରିଛନ୍ତି । “ସେବା ହିଁ ସଂଗଠନ” ସଂକଳ୍ପ ନେଇ ବିଜେପିର ସମସ୍ତ କାର୍ଯ୍ୟକର୍ତା ନିରନ୍ତର କାର୍ଯ୍ୟ କରିଚାଲିଛନ୍ତି । “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ”କୁ ମୁଳମନ୍ତ୍ର କରି ରାଷ୍ଟ୍ରହିତ କାର୍ଯ୍ୟରେ ବିଜେପି ନିଜ କାର୍ଯ୍ୟଧାରାକୁ ଜାରି ରଖିଛି । ସଶକ୍ତ ଭାରତବର୍ଷ ଏବଂ ଆତ୍ମନିର୍ଭର ଭାରତ ଗଠନ କରିବା ପାଇଁ ଆମ ସମସ୍ତଙ୍କର ସାମୁହିକ ପ୍ରୟାସର ଆବଶ୍ୟକତା ରହିଛି । ଓଡିଶାର ଯେଉଁ ଗରୀବ ଜନସାଧାରଣ ଅବହେଳିତ ଓ ନିଷ୍ପେସିତ ଅଛନ୍ତି ସେମାନଙ୍କ ପାଖରେ ମୋଦୀ ସରକାରଙ୍କର ଯୋଜନା ପହଁଚାଇବା ପାଇଁ ବିଜେପି କାର୍ଯ୍ୟକର୍ତାମାନେ କାର୍ଯ୍ୟ କରିବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି ।

୧୯୮୦ ମସିହାରେ ଜନ୍ମଗ୍ରହଣ କରିଥିବା ଏବଂ ମାତ୍ର ଦୁଇ ଜଣ ସାଂସଦଙ୍କଠାରୁ ଆରମ୍ଭ ହୋଇଥିବା ଭାରତୀୟ ଜନତା ପାର୍ଟି ଆଜି ସର୍ବସ୍ପର୍ଶୀ, ସର୍ବବ୍ୟାପୀ ଏବଂ ସଂକଳ୍ପ ମାଧ୍ୟମରେ ସର୍ବବୃହତ ରାଜନୈତିକ ଦଳ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି ।ପଣ୍ଡିତ ଦୀନଦୟାଲଙ୍କ ଅନ୍ତ୍ୟୋଦ୍ୱୟ ଆଦର୍ଶରେ ଅନୁପ୍ରାଣିତ ହୋଇ ସାଧାରଣ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ପହଂଚାଇବାର ବଜ୍ର ଶପଥ ନେଇ ଗଢ଼ି ଉଠିଥିଲା ଭାରତୀୟ ଜନତା ପାର୍ଟି । ଲକ୍ଷ୍ୟ ଥିଲା ସମାଜର ତଳ ସ୍ତରରେ ରହୁଥିବା ଲୋକ ପାଖରେ ବିକାଶ ପହଂଚାଇବା ।ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଭାରତ ବିକାଶମୁଖୀ ହୋଇଛି ଏବଂ ତାଙ୍କର ନେତୃତ୍ୱକୁ ବିଶ୍ୱବ୍ୟାପୀ ସ୍ୱୀକୃତି ମିଳିଛି । ବିଶ୍ୱମହାମାରୀ କରୋନା କାଳରେ ୮୦ କୋଟି ଦେଶବାସୀଙ୍କ ପାଇଁ ମାଗଣା ରାସନ, ସମସ୍ତ ଦେଶବାସିଙ୍କୁ ମାଗଣା କୋଭିଡ୍‌ ଟୀକା ଯୋଗାଇ ଦେବା ସହିତ ଆତ୍ମନିର୍ଭର ଭାରତ ଗଠନ ପାଇଁ ମୋଦି ସରକାରଙ୍କ ବଳିଷ୍ଠ ପଦକ୍ଷେପ ଆଜି ସମସ୍ତ ଭାରତୀୟଙ୍କୁ ବିଶ୍ୱ ଦରବାରରେ ଗୈାରାବାନ୍ୱିତ କରିଛି ।
ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ଦେଶବ୍ୟାପୀ ଅମୃତ ମହୋତ୍ସବ ପାଳନ କରାଯାଉଛି । ଉପସ୍ଥାପିତ ହୋଇଥିବା ଚଳିତ ବର୍ଷ କେନ୍ଦ୍ର ବଜେଟ ନୂତନ ଭାରତ ଗଠନକୁ ସକ୍ରିୟ କରିଛି ଏବଂ ସ୍ୱାଧୀନତାର ୧୦୦ ବର୍ଷ ପୁର୍ତି ଅବସରରେ ୨୦୪୭ ମସିହା ବେଳକୁ ଭାରତବର୍ଷ ବିଶ୍ୱ ନେତୃତ୍ୱ ନେଉଥିବାର ଭାରତୀୟଙ୍କ ସ୍ୱପ୍ନ ନିଶ୍ଚିତ ଭାବେ ପୁରଣ ହୋଇସାରିଥିବ । ଏଥି ପାଇଁ ଆମ ସମସ୍ତଙ୍କୁ କଠିନ ପରିଶ୍ରମ କରି ଦେଶକୁ ସଶକ୍ତ ଭାରତ, ଆତ୍ମନିର୍ଭର ଭାରତ ଏବଂ ଶ୍ରେଷ୍ଠ ଭାରତରେ ପରିଣତ କରିବା ପାଇଁ ସଂକଳ୍ପ ନେବାକୁ ପଡିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଆଜି ଠାରୁ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଗୋଟିଏ ପକ୍ଷ ଧରି ପାର୍ଟି କାର୍ଯ୍ୟକର୍ତାମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ପ୍ରସଙ୍ଗରେ ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଓ ଅନିତା ଶୁଭଦର୍ଶନୀ, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ଓ ଗୋଲକ ମହାପାତ୍ର, ବରିଷ୍ଠ ନେତା ଶାରଦା ଶତପଥୀ,ଭୁବନାନନ୍ଦ ତ୍ରିପାଠୀ, ମହେଶ ମହାନ୍ତି, ରାଜ୍ୟ ମୁଖପାତ୍ର ରମାରଂଜନ ବଳିୟାରସିଂହ, ବିରଂଚି ନାରାୟଣ ତ୍ରିପାଠୀ, ଠାକୁର ରଂଜିତ ଦାସ, ସୋନାଲୀ ସାହୁ, ରାଜେନ୍ଦ୍ର ପଣ୍ଡା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳଙ୍କ ସମେତ ବହୁ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।