କଟକରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ କଟକ ସହର ପାଇଁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣର ଉଦଘାଟନ କରିଛନ୍ତି । ଏବେ କଟକ ସହରରେ ୨୪ ଘଣ୍ଟା ପାନୀୟ ଜଳ ଯୋଗାଣର ସୁବିଧା ପାଇବେ କଟକବାସୀ । ଏହାଦ୍ୱାରା ସହରର ୭ ଲକ୍ଷ ଲୋକ ଉପକୃତ ହେବେ । ଅନ୍ୟପକ୍ଷରେ କଟକ ସହିତ ରାଜ୍ୟର ୬୦ଟି ସହରର ସବୁ ପରିବାରକୁ ଏହି ସୁବିଧା ଦିଆଯାଇଛି । ସେହିପରି ଖୁବଶୀଘ୍ର ରାଜ୍ୟର ସମସ୍ତ ସହରରେ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କଟକର ଦୁଇଟି ଜୋନରେ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ସହ ସାରା ସହର ପାଇଁ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ କାର୍ଯ୍ୟକ୍ରମ ପାଇଁ ଭିତ୍ତିସ୍ଥାପନ କରିଥିଲେ । ଏହା ଡିସେମ୍ବର ୨୦୨୩ ସୁଦ୍ଧା ପୁରା ସହରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ।

ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୩୦ କୋଟି ଟଙ୍କାରେ ନିର୍ମିତ ୩ଟି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ମଧ୍ୟ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କଟକ ସହରର ବିକାଶ ପାଇଁ ସବୁବେଳେ ଗୁରୁତ୍ୱ ଦେଇଛନ୍ତି ଏବଂ ସବୁ କାର୍ଯ୍ୟକ୍ରମ ପାଇଁ ତୁରନ୍ତ ବ୍ୟବସ୍ଥା କରିଆସିଛନ୍ତି । ସେହିପରି ସେ ଆହୁରି କହିଛନ୍ତି ଯେ, ୨୦୨୨ରେ କଟକରେ ଆଉ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଲୋକାର୍ପିତ ହେବ । ଏହି କାର୍ଯ୍ୟକ୍ରମକୁ ୫-ଟି ସଚିବ ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ । ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ୍‌ ସ୍ୱାଗତ ଭାଷଣ ଦେଇଥିଲେ ଓ ସିଏମସି କମିଶନର ଅନନ୍ୟା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସାଂସଦ ସୁବାସ ସିଂହ, ବିଧାୟକ ଚନ୍ଦ୍ରସାରଥୀ ବେହେରା, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।