ଭୁବନେଶ୍ୱର: ରଜର ପ୍ରଥମ ଦିନରେ ତାତିର ପ୍ରଭାବ ଆହୁରି ବଢ଼ିଯାଇଥିବା ବେଳେ ଆସିଛି ଏକ ଆଶ୍ୱସ୍ତିକର ଖବର । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀର ଉତ୍ତର ସୀମା ଏବେ ଜଲଗାଁଓ, ବିଦର, ତିରୁପତି ଓ ପୁଡୁଚେରୀ ଉପରେ ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଗୁଜୁରାଟର ଆଉ କିଛି ଅଂଶ, ମଧ୍ୟପ୍ରଦେଶର କିଛି ଅଂଶ, ମଧ୍ୟ ମହାରାଷ୍ଟ୍ରର ସଂପୂର୍ଣ୍ଣ ଅଂଚଳ, ମରାଠଓ୍ବାଡ଼ା, ତାମିଲନାଡୁ ଓ କର୍ଣ୍ଣାଟକ, ତେଲେଙ୍ଗାନାର ଆଉ କିଛି ଅଂଶ, ଆନ୍ଧ୍ରପ୍ରଦେଶର ଆଉ କିଛି ଅଂଶ, ଓଡ଼ିଶାର କିଛି ଅଂଶ, ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡକୁ ଛୁଇଁବାର ସମ୍ଭାବନା ରହିଛି ।