ନିଜ ନିର୍ବାଚନମଣ୍ତଳୀର ଫଳକରେ ରହିଲା ନାହିଁ ଅନୁଭବଙ୍କ ନାଁ

କେନ୍ଦ୍ରାପଡା(ଏସ୍ ନ୍ୟୁଜ ):କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ତାଇ ପୌରପାଳିକା ଅନ୍ତର୍ଗତ କଷଣଅଣ୍ଟାରେ ଶୁକ୍ରବାର ମିନି ଷ୍ଟାଡିୟମର ଶିଳାନ୍ୟାସ  ଶିଳାନ୍ୟାସ ହେଲା। ସା˚ସଦ ଅନୁଭବ ମହାନ୍ତିଙ୍କ ନାଁ ଫଳକରେ ରହିଲା ନାହିଁ। ଦୁଇ ଜଣ ମନ୍ତ୍ରୀ, ସ୍ଥାନୀୟ ବିଧାୟକ, ବାହାର ଜିଲ୍ଲାର ତିନି ବିଧାୟକଙ୍କ ନାଁ ସେଥିରେ ରହିଲା। ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। କୌତୂହଳର କଥା ହେଉଛି, ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ନ ଥାଇ ବି ଯାଜପୁରର କୋରେଇ ବିଧାୟକ ଅଶୋକ ବଳ, ଜଗତସି˚ହପୁର ଜିଲ୍ଲା ପାରାଦୀପର ବିଧାୟକ ସମ୍ବିତ୍ ରାଉତରାୟଙ୍କ ନାଁ ଫଳକରେ ରହିଲା। ପାରିବାରିକ ବିବାଦରେ ଫସିବା ପରଠୁ ଦଳ ଯେ ଅନୁଭବଙ୍କୁ ଏକପ୍ରକାର କୋଣଠେସା କରିଦେଇଛି, ଏ ବାର୍ତ୍ତା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି।

ସା˚ସଦ ଅନୁଭବଙ୍କ ପାଇଁ ଏ ଭଳି ଘଟଣା କିଛି ନୂଆ ନୁହେ|ଗତ ଡିସେମ୍ବର ୨୦ତାରିଖରେ ମହାକାଳପଡ଼ା ଆଖଡ଼ାଶାଳିରେ ପ୍ରସ୍ତାବିତ ବନ୍ଦର ପ୍ରକଳ୍ପକୁ ଯେତେବେଳେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫-ଟି ସଚିବ ଭି.କେ ପାଣ୍ତିଆନ୍, ପରିବହନ ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର ପ୍ରମୁଖ ଅନୁଧୢାନ କରିବାକୁ ଆସିଲେ, ସେତେବେଳେ ସା˚ସଦଙ୍କ ଦେଖା ମିଳିନଥିଲା।ଯେତେବେଳେ ଜିଲ୍ଲାର ପାଞ୍ଚଟି ନିର୍ବାଚନ ମଣ୍ତଳୀରୁ କେନ୍ଦ୍ରାପଡ଼ାକୁ ଛାଡ଼ି ବାକି ଚାରି ବିଧାନସଭା କ୍ଷେତ୍ରରେ ପାଳିତ ବିଜେଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସା˚ସଦଙ୍କୁ ସ˚ପୂର୍ଣ୍ଣ ଉପେକ୍ଷା କରି ଦିଆଯାଇଥିଲା|ନା ସଭାସ୍ଥଳରେ ତାଙ୍କ ଫଟୋ ଲାଗିଥିଲା ନା ଛକ ଛକରେ ଲାଗିଥିବା ନା ପୋଷ୍ଟର୍, ବ୍ୟାନର୍ ଅନୁଭବଙ୍କ ମୁହଁ ଦେଖିବାକୁ ମିଳିଥିଲା|ଏମିତିକି ଦଳର ପଦାଧିକାରୀ ମାନେ ବି ନୂତନବର୍ଷ ଶୁଭେଚ୍ଛା ହୋଡି˚ରେ ଅନୁଭବଙ୍କ ଫଟୋ ରଖିବାକୁ ଠିକ ଭାବିନଥିଲେ ନଥିଲେ।