ଓଡିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

କଟକ,(ସାକ୍‌ସୀ ନ୍ୟୁଜ୍‌): ଓଡିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଶ୍ରୀ ସୁନୀଲ କୁମାର ବଂସଲ, ଆଇ.ପି.ଏସ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେପୂର୍ବତନ ଡି.ଜି.ପି ଶ୍ରୀ ଅଭୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ସୁନୀଲ କୁମାର ବଂସଲ ଆଇ.ପି.ଏସପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ “ଗାର୍ଡ ଅଫ୍ ଅନର” ପ୍ରଦାନ କରାଯିବା ସହ ଉପସ୍ଥିତ ବରିଷ୍ଠ ଅଧିକାରୀ ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ ।

ଦାୟିତ୍ୱ ଗ୍ରହଣ ପୂର୍ବରୁ ସେ ଶହୀଦ ସ୍ମୃତିସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବଂସଲ କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି, ତାକୁ ସେ ନିଷ୍ଠାର ସହ ସଂପାଦନ କରିବେ। ଓଡିଶା ପୋଲିସର ସାରାଭାରତରେ ସୁନାମ ରହିଛି । ଏହାକୁବଜାୟରଖିବପାଇଁଚେଷ୍ଟାକରିବି। ପୋଲିସକୁ ଲୋକାଭିମୁଖୀ, ଦାୟିତ୍ୱବାନ, ସଂବେଦନଶୀଳ ଓ ମାନବୀୟ କରିବାକୁ ଚେଷ୍ଟା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ“ମୋ ସରକାର” କାର୍ଯ୍ୟକ୍ରମ ଓ“5-T”ମନ୍ତ୍ରକୁ ପୋଲିସ ବିଭାଗରେ ସଫଳପ୍ରୟୋଗ କରି କାର୍ଯ୍ୟ କରିବେ। ନକ୍ସଲ ଦମନକ୍ଷେତ୍ରରେ ଓଡିଶା ପୋଲିସ ଅତୀତରେ ଅନେକ ସଫଳତା ପାଇଛି। ଭବିଷ୍ୟତରେ ମଧ୍ୟ ଆମେ ସେହି କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରି ଓଡିଶାରେ ନକ୍ସଲର ପ୍ରଭାବ ଓ ଗତିବିଧିକୁ ସୀମିତ କରିବୁ। ପଡୋଶୀ ରାଜ୍ୟମାନଙ୍କ ସହ ମିଶି ମାଓ ମୁକାବିଲା କରିବୁ ।

ସମାଜର ଦୁର୍ବଳ ଶ୍ରେଣୀ ଲୋକ ଏବଂ ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧର ତ୍ୱରୀତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟରେ ଘଟୁଥିବା ସଂଗଠିତ ଅପରାଧ ଓ ମାଫିଆ ରାଜକୁ ଦୃଢ ହସ୍ତରେ ଦମନ କରାଯିବ । ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଚେଷ୍ଟା କରିବି ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଥିଲେ ।

ସୂଚନାଯୋଗ୍ୟଯେ ୧୯୮୭ ବ୍ୟାଚର ଆଇ.ପି.ଏସ୍ ଅଧିକାରୀ ଶ୍ରୀ ବଂସଲ ରାକସ୍ଥାନ ରାଜ୍ୟରଜୟପୁର ଅଞ୍ଚଳର ମୂଳବାସିନ୍ଦା ଅଟନ୍ତି। ତାଙ୍କ ଚାକିରି କାଳ ମଧ୍ୟରେ ସେ ମୟୁରଭଞ୍ଜଜିଲ୍ଲା ଏବଂ ସମ୍ବଲପୁର ଭିଜିଲାନ୍‌ସ ଡିଭିଜନ୍‌ର ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ପରେ ସେକେନ୍ଦ୍ରୀୟ ଡେପୁଟେସନରେ ଯାଇ ଗୁଇନ୍ଦା ବିଭାଗ, ଭାରତ ସରକାରଙ୍କ ଯୁଗ୍ମ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ପରେ ସେ ଉପନିର୍ଦ୍ଦେଶକ, ଗୁଇନ୍ଦା ବିଭାଗ, ଭାରତ ସରକାର, ଅଟାୱାସ୍ଥିତ ଭାରତ ସରକାରଙ୍କ ହାଇକମିଶନ କାର୍ଯ୍ୟାଳୟରେ କାଉନ୍‌ସିଲର ଭାବେ କାର୍ଯ୍ୟ କରିଥିଲେ । ପରେସେ ନୂଆଦିଲ୍ଲୀ ସ୍ଥିତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ନିର୍ଦ୍ଦେଶକ, ଗୁଇନ୍ଦା ବିଭାଗର ଯୁଗ୍ମ ନିର୍ଦ୍ଦେଶକ, ମୁମ୍ୱାଇସ୍ଥିତ ଏସ୍.ଆଇ.ବି ଠାରେ ଅତିରିକ୍ତ ନିର୍ଦ୍ଦେଶକ ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ପରେ ସେଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ।

ଦାୟିତ୍ୱ ଗ୍ରହଣ ସମୟରେ ରାଜ୍ୟ ପୋଲିସ ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ପୋଲିସ ମୁଖ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ।