ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ କଲେ ସେବାୟତ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ଆସନ୍ତାକାଲି ପାଳିତ ହେବ ଜାଗର ଯାତ୍ରା। ହେଲେ ଆଜି ରୋଷହୋମ ପରଠୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିଛନ୍ତି ସେବାୟତ। ମନ୍ଦିରର ବଡ଼ ନିଯୋଗ ଓ ବ୍ରାହ୍ମଣ ନିଯୋଗର ୨ ପ୍ରମୁଖ ଦାବି ପୂରଣ ନେଇ ପ୍ରଶାସନ ତରଫରୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳି ନ ଥିବାରୁ ଏପରି ଅସହଯୋଗ କରାଯାଇଛି। ରୋଷ, ହୋମ ପରେ ଆଜି ସକାଳୁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଥିବା ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚତ୍ ନାରାୟଣ ପତି। ନିଜ ଜିଦ୍‌ରେ ଅଡ଼ି ବସିଛନ୍ତି ବଡ଼ ନିଯୋଗ ଓ ବ୍ରାହ୍ମଣ ନିଯୋଗ ସେବାୟତ। ସୂଚନାଯୋଗ୍ୟ ଯେ, କପିଳନାଥ ଓ ଲିଙ୍ଗରାଜଙ୍କ ସେବାୟତଙ୍କ ମଧ୍ୟରେ ବିବାଦ ରହିଛି । ଫଳରେ ଏହି ବିବାଦ ଯୋଗୁଁ ବହୁ ବର୍ଷ ଧରି ପରମ୍ପରା ଭଙ୍ଗ ହେଉଥିବା କୁହାଯାଉଛି । ପ୍ରଶାସନ ପଦକ୍ଷେପ ନେଉନଥିବା ବ୍ରାହ୍ମଣ ନିଯୋଗ ପକ୍ଷରୁ ଅଭିଯୋଗ କରାଯାଇଛି ।