ଏମିତି ଚାଲିଛି ଐତିହ୍ୟ ସୁରକ୍ଷା: ଭୁଶୁଡ଼ିବ ଭାସ୍କରେଶ୍ୱର ମନ୍ଦିର!

ଗୋଟିଏ ସୂର୍ଯ୍ୟ ମନ୍ଦିର ଭାଙ୍ଗିସାରିଛି । ତାର ମୁଖଶାଳାଟିକୁ ଆମ ସରକାର ଠେକ ମାରି ରଖିଛନ୍ତି । ଆଉ ଗୋଟିଏ ଭାଙ୍ଗିବାକୁ ବସିଛି । ମନ୍ଦିରଟିର ନାମ ଭାସ୍କରେଶ୍ୱର ମନ୍ଦିର । ରବି ଟକିଜଠାରୁ କଟକ-ପୁରୀ ୩୧୬ ନମ୍ବର ରାଜପଥ ଆଡ଼କୁ ପଡ଼ିଥିବା ରାସ୍ତାକଡ଼ରେ ଦେଖିବାକୁ ମିଳେ ଭାସ୍କରେଶ୍ୱର ମନ୍ଦିର ।

ଗଙ୍ଗବଂଶର ରାଜାଙ୍କ ମଧ୍ୟରୁ କେହି ଜଣେ ଦ୍ୱାଦଶ ଶତାବ୍ଦୀରେ ମନ୍ଦିରଟିକୁ ତିଆରି କରିଛନ୍ତି । କେନ୍ଦ୍ର ସରକାର ମନ୍ଦିରଟିର ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିଲାବେଳେ ତାହା ଜରାଜୀର୍ଣ୍ଣ ଅବସ୍ଥାକୁ ଗତି କଲାଣି । ମନ୍ଦିରଟିର କେତେକ ସ୍ଥାନରୁ ପଥର ଖସିଯାଇଛି । କେତେକ ସ୍ଥାନରୁ ପଥର ଖସିବା ସ୍ଥିତିରେ ଅଟକିଛି । ବଡ଼ ଧରଣର ତୋଫାନ ନଚେତ୍‌ ଟିକିଏ ଗମ୍ଭୀର ଧରଣର ଭୂକମ୍ପ ହେଲେ, ମନ୍ଦିରଟିର କେତେକ ଅଂଶ ଝଡ଼ିପଡ଼ିବ । ବହୁ ଶିଳାଖଣ୍ଡରୁ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ଲିଭିଗଲାଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାମରେ କେହି ହସ୍ତକ୍ଷେପ କରିବାକୁ ଚାହୁଁନାହାନ୍ତି । ମାତ୍ର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳା କାରଣରୁ ମନ୍ଦିରଟି କେତେବେଳେ ମାଟିରେ ମିଶିଯିବ ତାହା ପୂର୍ବାନୁମାନ କରିବା କଷ୍ଟକର ।

ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଘୋଷିତ ୭୮ ‘ସୁରକ୍ଷିତ ସ୍ମାରକୀ’ ଭିତରୁ ଭାସ୍କରେଶ୍ୱର ଅନ୍ୟତମ । ଐତିହ୍ୟ ସ୍ଥାନଠାରୁ ୧୦୦ ମିଟର ଦୂରତା ଭିତରେ ଅନ୍ୟ କୌଣସି ନିର୍ମାଣ କାର୍ଯ୍ୟ ପାଇଁ ବାରଣ କରାଯାଇଛି । ମାତ୍ର ସେସବୁ କାଗଜପତ୍ରରେ ସୀମିତ । ଗତ ୧୦ ବର୍ଷ ଭିତରେ ଏଏସ୍‌ଆଇ ଅଧିକାରୀ କେବେ ମନ୍ଦିର ପରିଦର୍ଶନ କରିବାକୁ ଆସିନାହାନ୍ତି ବୋଲି ମନ୍ଦିର ନିକଟରେ ଖୋଲାଯାଇଥିବା କିଛି ଦୋକାନୀ କହିଛନ୍ତି । ମନ୍ଦିର ଚାରିପଟେ ବେଆଇନ ନିର୍ମାଣ ଚାଲିଛି । ମନ୍ଦିରରେ ଗଛ ଉଠିଲେ ମଧ୍ୟ ତାକୁ ହଟାଇବା ଉଚିତ ବୋଲି ଏଏସ୍‌ଆଇ ଅନୁଭବ କରୁନି ।
ବିଜେପି, ବିଜେଡି ଓ କଂଗ୍ରେସ ଦଳଗୁଡ଼ିକ ମନ୍ଦିର ଭୁଶୁଡ଼ିବା ମୁହୂର୍ତକୁ ଅନାଇ ବସିଛନ୍ତି । କୌଣସି ଦଳ କେବେ ମନ୍ଦିର ସୁରକ୍ଷା ଦାବିରେ ପାଟିତୁଣ୍ଡ କରିବାର କେହି ଦେଖିନାହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିବ୍ୟ ନଜର ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ଆରଡି ଆଖଣ୍ଡଳମଣି ମନ୍ଦିର, ସମ୍ବଲପୁର ସମଲେଶ୍ୱରୀ ମନ୍ଦିର ଭଳି ହାତଗଣତି ମନ୍ଦିର ଉପରେ ପଡ଼ିଛି ।
ଭାସ୍କରେଶ୍ୱର ମନ୍ଦିରଟିକୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଏଏସ୍‌ଆଇ ଗୌଣ ମନେକରୁଛି । ଲିଙ୍ଗରାଜ ମନ୍ଦିର ସମସାମୟିକ ମନ୍ଦିରଟି ଦୁଇମହଲା ବିଶିଷ୍ଟ ମନ୍ଦିର । ଏହି ମନ୍ଦିର ଆକୃତିରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣ କରାଯାଇଥାଏ । ଏଭଳି ଏକ ବିରଳ ମନ୍ଦିର ସୁରକ୍ଷା ପ୍ରତି ଆମେ ସମସ୍ତେ ଆଗକୁ ଆଗେଇଯିବା ଉଚିତ୍‌ ହେବ କି?