ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ ଟିକେଟ ବିକ୍ରି ଆରମ୍ଭ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତା ୧୨ ତାରିଖ ଦିନ ଅନୁଷ୍ଠିତ ହେବା ପାଇଁ ଥିବା ପାଞ୍ଚ…

କଟକ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତା ୧୨ ତାରିଖ ଦିନ ଅନୁଷ୍ଠିତ ହେବା ପାଇଁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚ ପାଇଁ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଟିକେଟ ବିକ୍ରି ବ୍ୟବସ୍ଥା କରା ଯାଇଛି। ଏଥିପାଇଁ ଓସିଏ ପକ୍ଷରୁ ୯ କାଉଣ୍ଟର ବ୍ୟବସ୍ଥା କରା ଯାଇଛି। ସେହିପରି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଦୁଇଟି କାଉଣ୍ଟର ଖୋଲା ଯାଇଛି। ଜଣେ ବ୍ୟକ୍ତି ଭୋଟର ପରିଚୟପତ୍ର, ଆଧାର କାର୍ଡ ଦେଖାଇ ଦୁଇଟି ଟିକେଟ ନେଇପାରିବେ। ପ୍ରତିଦିନ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି କରାଯିବ।

ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟିକେଟ ଅନଲାଇନ୍ ରେ ବିକ୍ରି ହୋଇ ସାରିଥିବାବେଳେ ଗତ ଦୁଇଦିନ ଧରି ଓସିଏ ସହିତ ଅନୁବନ୍ଧିତ ସଂସ୍ଥାକୁ ସମସ୍ତ ଟିକେଟ ବିକ୍ରି ସରିଛି। ତେଣୁ ସର୍ବସାଧାରଣଙ୍କ ପାଇଁ ୧୨, ୦୯୩ ଟିକେଟ ବିକ୍ରି କରାଯିବ। ସେହିପରି ଏଥିମଧ୍ୟରୁ ୧୩୬୨ ଉଚ୍ଚମୂଲ୍ୟର ଟିକେଟ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହୋଇପାରିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏଥର ଶାନ୍ତିଶୃଙ୍ଖଳାର ସହିତ ଟିକେଟ ବିକ୍ରି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜନସାଧାରଣ ଶୃଙ୍ଖଳା ରକ୍ଷା କରି କିଣିବା ପାଇଁ ଓସିଏ ପକ୍ଷରୁ ଅନୁରୋଧ କରାଯାଇଛି।