ପଂଚାୟତ ନିର୍ବାଚନରେ ସ୍ୱଚ୍ଛତା: ଭୁଲ ତଥ୍ୟ ଦେଲେ ଜେଲ ଦଣ୍ଡ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ପଞ୍ଚାୟତ ନିର୍ବାଚନରେ ଲୋକସଭା ଓ ବିଧାନସଭା ଭଳି ମଧ୍ୟ ପ୍ରାର୍ଥୀ ମାନେ ନିଜ ନିଜର ସତ୍ୟ ପାଠ ଦାଖଲ କରିବେ । ପଂଚାୟତ ନିର୍ବାଚନରେ ସ୍ୱଚ୍ଛତା ଆଣିବାକୁ ସରକାର ଏଥର ନୂଆ ବ୍ୟବସ୍ଥା କରିଛନ୍ତି । ଏଣିକି ନିର୍ବାଚନ ଲଢୁଥିବା ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ସତ୍ୟପାଠ ଜରିଆରେ ନିଜ ସମ୍ପର୍କୀତ ତଥ୍ୟ ଦାଖଲ କରିବେ । ପ୍ରାର୍ଥୀ ମାନଙ୍କର ଅପରାଧୀକ ମାମଲା, ସମ୍ପତି ଓ ଶିକ୍ଷା ଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ ସତ୍ୟ ପାଠରେ ରହିବ । ନାମାଙ୍କନ ଦଖଲ ବେଳେ ଏହି ସବୁ ତଥ୍ୟ ଦିଆଯିବ । ଯଦି ଏହି ତଥ୍ୟ ଭୁଲ ପ୍ରମାଣିତ ହେଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଯଦି କୌଣସି ପ୍ରାର୍ଥୀ ମିଥ୍ୟା ତଥ୍ୟ ପ୍ରଦାନ କରିବେ ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାକୁ ସାର୍ବଜନୀନ କରାଯାଇ ଓ ସମସ୍ତ ତଥ୍ୟ ୱେବସାଇଟ୍‌ରେ ଉପଲବ୍ଧ କରାଯିବ । ପରବର୍ତୀ ସମୟରେ କୌଣସି ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିବା ପ୍ରମାଣିତ ହେଲେ ୬ ମାସ ପର୍ଯ୍ୟନ୍ତ ଜେଲ ଓ ଜରିମାନା ଭୋଗିବାକୁ ପଡିବ । ଏନେଇ ଆଇନ ବିଭାଗ ପକ୍ଷରୁ ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଓଡ଼ିଶା ପଂଚାୟତ ଆଇନର ସଂଶୋଧନ କରାଯିବ ।

ପଞ୍ଚାୟତି ରାଜ ଆଇନରେ ସଂଶୋଧନ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ରାଜ୍ୟ ସରକାର ପ୍ରକାଶ କରିଛନ୍ତି । ତେବେ ଏହି ବିଜ୍ଞପ୍ତି ଅନୁସାରେ ଏଣିକି ବିପର୍ଯ୍ୟୟ ପରିଚାଳନାରେ ପଞ୍ଚାୟତିରାଜ ପ୍ରତିନିଧିଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ବିପର୍ଯ୍ୟୟ ପରିଚାଳନା ସମୟରେ ତାଙ୍କୁ କ୍ଷମତା ପ୍ରଦାନ କରିବା ନେଇ ଏହି ଗେଜେଟ୍ ବିଜ୍ଞପ୍ତି ରହିଛି ।