ଗର୍ଭବତୀଙ୍କୁ ଏବେ ଟିକା ଦିଆଯିବ ନାହିଁ

ଭୁବନେଶ୍ୱର: (ଏସ୍‌ ନ୍ୟୁଜ): ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ଗର୍ଭବତୀଙ୍କୁ ଏବେ କୋଭିଡ ଟିକା ଦିଆଯିବ ନାହିଁ । ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯିବା ପରେ କରୋନା ଟିକା ଦିଆଯିବ । ନିର୍ଦ୍ଧିଷ୍ଟ ତାଲିମ ପୂର୍ବରୁ ଗର୍ଭବତୀଙ୍କୁ ଟିକା ନଦେବା ପାଇଁ ସବୁ ଜିଲାପାଳ, ମ୍ୟୁନିସିପାଲ କମିଶନର ଓ ସିଡିଏମଓମାନଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ରଙ୍କ ଚିଠି ଲେଖିଛନ୍ତି । ଜିଲାପାଳ ଓ ସିଡିଏମଓମାନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜ୍ୟର ଗର୍ଭବତୀ ମହିଳାଙ୍କୁ କରୋନା ଟିକା ଦିଆଯିବ ନାହିଁ । ପୂର୍ବରୁ ଗର୍ଭବତୀଙ୍କୁ ଟିକା ଦିଆଯିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁରୁ ମାର୍ଗଦର୍ଶିକା ଆସିଥିଲା । କିନ୍ତୁ ଏବେ ଗର୍ଭବତୀମାନଙ୍କୁ ଟିକା ଦିଆଯିବ ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଖୁବଶୀଘ୍ର କର୍ମଶାଳାର ଆୟୋଜନ କରିବ । ଏହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲା ସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ତେଣୁ କିଛି ଦିନ ଅପେକ୍ଷା କରିବାକୁ ପଡିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର କର୍ମଶାଳା ପରେ ରାଜ୍ୟ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।