ପାଣି ପାଇଁ ରାସ୍ତା ଅବରୋଧ କଲେ ଗାଁ ଲୋକ

ଖରା ଆରମ୍ଭରୁ ଜଳ ସଙ୍କଟ ନେଇ ଦେଖାଯାଇଛି । ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ଗାଁରେ ଥିବା ନଳକୂପ ଅଚଳ ହେଇଯାଇଛି । ଏହାର ମରାମତିପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କୁ ବାରମ୍ବାର ଅବଗତ କରାଯିବା କଲା ପରେବି କୌଣସି ସୁଫଳ ନ ମିଳିବାରୁ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଭେଜିଡିହି ଗ୍ରାମର ଶତାଧିକ ମହିଳା ଗରା, ବାଲଟି ଧରି ରାସ୍ତା କୁ ଅବରୋଧ କରିଛନ୍ତି।

ଫଳରେ ଶୁଆକାଟି-ଦବୁନା ରାସ୍ତାରେ ଗାଡ଼ିମୋଟର ଚଳାଚଳ ବନ୍ଦ ହେଇଯାଇଛି । ବହୁ ସମୟ ଧରି ରାସ୍ତାର ଉଭୟ ପାର୍ଶ୍ଵରେ ଯାତ୍ରୀବାହୀ ବସ୍‌, ଅନ୍ୟାନ୍ୟ ଗାଡ଼ିମୋଟର ଅଟକି ରହିଥିଲା। ଘଟଣାସ୍ଥଳରେ ନୟାକୋଟ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପାଇଁ ପ୍ରୟାସ କରିଥିଲେ ।

ପାନୀୟଜଳ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବନି ଲୋକେ ଜିଦ୍‌ ଧରିଛନ୍ତି । ଏସ୍‌ଆଇ ପୁରୋଷୋତ୍ତମ ପଟେଲ ଫୋନ୍‌ରେ ବିଡିଓଙ୍କ ସହ ଆଲୋଚନା କରି ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବା ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ସମସ୍ୟାର ସମାଧାନ ନହେଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଗ୍ରାମର ସୀମା ଡାଙ୍ଗୁଆ, ନାଏକ,ତିଳୋତ୍ତମା,ତିଳୋତ୍ତମା ଗୋଲାପ ବେହେରା ପ୍ରମୁଖ ଚେତାବନୀ ଦେଲେ ।