ଶିଶୁମୃତ୍ୟୁ ପାଇଁ ଦାୟୀ କିଏ? ସରକାର ନା ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିନା ଅନୁମତିରେ ଆମ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିନା ଅନୁମତିରେ ଆମ ବଡ଼ଠାକୁର ଶୁଅନ୍ତି ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ଟାଉଟରଙ୍କ ବିନା ପୁରୀ ଶ୍ରୀମନ୍ଦିରରେ ପହୁଡ଼ ପଡେ଼ନାହିଁ । ଓଡ଼ିଶାର ପ୍ରତି ବ୍ଲକରେ ପ୍ରତି ଗ୍ରାମରେ ନବୀନବାବୁଙ୍କ ଲୋକ ଭରି ରହିଛନ୍ତି । ପିଲାଙ୍କ ଜନ୍ମଠାରୁ ମୃତ୍ୟୁ ଯାଏ ଭଳିକି ଭଳି ଯୋଜନା କାର୍ଯ୍ୟକାରୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି । ସବୁ ସଫଳତାର ଶ୍ରେୟ ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୁଅନ୍ତି ତେବେ ଅପପୁଷ୍ଟିର ଅପବାଦରୁ ତାଙ୍କୁ ବାଦ ଦିଆଯିବା ମସ୍ତବଡ଼ ଅପରାଧ ହେବ । ଖୋଦ ବିଜୁ ପଟ୍ଟନାୟକ କହିଥିଲେ, ଫୁଲମାଳ ପିନ୍ଧିବାକୁ ଆଶା କରିଛ ତ କଂଟାମାଳକୁ ମଧ୍ୟ ପିନ୍ଧିବାର ଦମ୍‌ ରଖିବାକୁ ହେବ । ଏହି ନୀତିରେ ଆମେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ନେଇଯାଊଛୁ କଳିଙ୍ଗନଗର ଆଡ଼କୁ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ହାତଗଢ଼ା ଶିଳ୍ପାଂଚଳ କଳିଙ୍ଗ ନଗର ।

ଯାଜପୁର ଜିଲ୍ଲାର ପ୍ରାଣପିଣ୍ଡ କଳିଙ୍ଗ ନଗର । ଓଡ଼ିଶାର ଏକନମ୍ବର ଶିଳ୍ପ ମହାନଗରୀ । ଶିଳ୍ପ ସମୃଦ୍ଧ କଳିଙ୍ଗ ନଗରରେ ଅପପୁଷ୍ଟି ଟିକେ ଅଡୁଆ ଲାଗୁଛି ନା । ଖବରଟା ଜମାରୁ ମିଛ ନୁହେଁ । କଳିଙ୍ଗ ନଗରରେ ବହୁ ନାମକରା ଶିଳ୍ପପତିମାନେ କାରଖାନା ଖୋଲିଛନ୍ତି । ଦୈନିକ କୋଟିକୋଟି ଟଙ୍କାର ବେପାର କରୁଛନ୍ତି । ମାତ୍ର କଳିଙ୍ଗ ନଗର ନିକଟବର୍ତୀ ଇଲାକା ପ୍ରତି ସେମାନଙ୍କ ଶୁଭଦୃଷ୍ଟି ପଡୁନି । ଏହି ଅଂଚଳର ବିକାଶ ପାଇଁ ଯୋଉ ସରକାରୀ ଅଧିକାରୀମାନେ ଦାୟିତ୍ୱ ମୁଣ୍ଡାଇଛନ୍ତି । ସେମାନେ ଲୋକଙ୍କର ଜୀବନଧାରଣ ଶୈଳୀ ପ୍ରତି ଦୃଷ୍ଟି ଦେଉନାହାନ୍ତି ।
ଅସ୍ୱାସ୍ଥ୍ୟକର ପରିବେଶରେ ରହୁଥିବା ପରିବାରଗୁଡ଼ିକ ଢୋକେ ପିଇ ଦଣ୍ଡେ ଜିଇଁବା ବ୍ୟତୀତ ଆଉ କିଛି ଜାଣନ୍ତି ନାହିଁ । କୋମଳମତି ପିଲାମାନଙ୍କର ମାନସିକ ଓ ବୌଦ୍ଧିକ ବିକାଶ କଥା ଚିନ୍ତା କରିବାକୁ କାହା ପାଖରେ ସମୟ ନାହିଁ । ଏହି ଅଂଚଳରେ ଥିବା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ମେସିନ ଭଳି ଆଚରଣ କରନ୍ତି । ପରିଣାମ ସ୍ୱରୂପ କଳିଙ୍ଗ ନଗରରେ ଅପପୁଷ୍ଟି ଜନିତ ମୃତ୍ୟୁସଂଖ୍ୟା କ୍ରମେ ବୃଦ୍ଧି ପାଉଛି ।

ସୂଚନା ମୁତାବକ ଦାନଗଦି ବ୍ଲକ ରଣାଗୁଣ୍ଡି ପଂଚାୟତ ଅନ୍ତର୍ଗତ ରଗଡ଼ା ଘାଟିସାହିରେ କେତୋଟି ପରିବାର ଅପପୁଷ୍ଟିର ଶିକାର ହୋଇଛନ୍ତି । ପାଂଚମାସ ତଳେ ଜଣେ ଦୁଇବର୍ଷର ପୁଅ ଅର୍ଜୁନ ଅପପୁଷ୍ଟିର ଶିକାର ହୋଇ ମୃତ୍ୟୁବରଣ କରିଥିଲା । ଏବେ ତା’ରି ଭଉଣୀ ଅପପୁଷ୍ଟିରେ ପଡ଼ି କଲବଲ ହେଉଛି । ଖବରଟି ପ୍ରଚାରିତ ହେବା ପରେ ପ୍ରଶାସନର ଚେତା ପଶିଛି । ହେଲେ କ’ଣ ହେବ? କଳିଙ୍ଗ ନଗରରେ ଅପପୁଷ୍ଟିର ସ୍ଥିତି ଏତେ ଦୟନୀୟ ଯେ ତାହା ସୁକିନ୍ଦାର ନଗଡ଼ାକୁ ବଳିଯିବ ।

ବିଶେଷ କରି କିଆଝର ପଂଚାୟତର ଧୁଳିଆପଶି, ଟୁଙ୍ଗେଇଶୁଣି, ଚାନ୍ଦିଆ ପଂଚାୟତର ଅଙ୍କୁରାପାଳ, ଠାକୁରସାହି, ଧୂଳିଗଡ଼ ପଂଚାୟତର ସୁଅାଁଲ, ମୁଣ୍ଡାସାହି ଆଦି ଆଦିବାସୀ ବସ୍ତିଗୁଡ଼ିକର ଅବସ୍ଥା ଅତି ଦୟନୀୟ ।