Naba Das Murder Case: ନବଦାସ ହତ୍ୟା ମାମଲା ଏବେ କୋଉଠି ଅଟକିଛି? ସମସ୍ତଙ୍କ ମନରେ ଗୋଟିଏ ଆଶା ଥିଲା, ରାଜ୍ୟର ବିଜେପି ସରକାର ନବଦାସଙ୍କ ହତ୍ୟା ମାମଲାକୁ ସିବିଆଇ ହାତକୁ ଟେକି ଦେବେ । ମାତ୍ର ସେମିତି କିଛି ହେଲାନି । ନବଦାସଙ୍କ ହତ୍ୟା ମାମଲାକୁ ତଦନ୍ତ କରୁଛି ରାଜ୍ୟ କ୍ରାଇମ୍ ବ୍ରାଂଚ୍ । ଯୋଉ କ୍ରାଇମ୍ ବ୍ରାଂଚ୍ର ଦକ୍ଷ ଅଧିକାରୀ ନବଦାସଙ୍କ ହତ୍ୟାକାରୀକୁ ଧରିବା ପାଇଁ ଝାରସୁଗୁଡ଼ା ବିମାନଘାଟିର ପରିମଳ ଟାଙ୍କି ଅଣ୍ଡାଳି ଥିଲେ । ସେଇ କ୍ରାଇମ୍ ବ୍ରାଂଚ୍ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିମଳ ଟାଙ୍କି ଅଣ୍ଡାଳିବନି ତ?
ସତରେ ଦିନକୁ ଦିନ ରହସ୍ୟମୟ ହୋଇଉଠୁଛି ନବଦାସଙ୍କ ହତ୍ୟା ମାମଲା । ଜଣାପଡୁଛି ମୃତ୍ୟୁ କୋଳରେ ଥାଇ ନବଦାସ ଉଭୟ ବିଜେଡି ଓ ବିଜେପି ଗଳାରେ କଂଟା ଭଳି ଲାଗି ରହିଛନ୍ତି । ନବଦାସଙ୍କ ହାତରୁ ସୁନାର କଳସ ପାଇ ଶନି ମହାରାଜ ଖୁସି ଥିଲେ କି ନା’ ଆମେ ଜାଣୁନା ।
ତେବେ ମହାରାଷ୍ଟ୍ରରୁ ଫେରିବାର କେଇଟା ଦିନ ପରେ ନବଦାସ ଆରପାରିକୁ ଚାଲିଗଲେ । ତାଙ୍କ ଉପରକୁ ଗୁଳି ଚଳାଇଥିବା ଅଭିଯୋଗରେ ବଳି ପଡ଼ିଗଲେ ଜଣେ ପୁଲିସ କର୍ମଚାରୀ ଗୋପାଳ ଦାସ । ନବଦାସଙ୍କ ହତ୍ୟା ପଛରେ ନିହିତ ସ୍ୱାର୍ଥକୁ ଆଜି ଯାଏ ଜାଣିପାରିନି ରାଜ୍ୟ ପୁଲିସ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟ କ୍ରାଇମ ବ୍ରାଂଚର ତକ୍ରାଳୀନ ଅଭିଜ୍ଞ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରା ନବଦାସଙ୍କ ହତ୍ୟା ମାମଲାର ତଦନ୍ତ ଦାୟିତ୍ୱ ତୁଲାଇ ଥିଲେ । ଅରୁଣ ବୋଥ୍ରାଙ୍କ ନିରପେକ୍ଷ ତଦନ୍ତକୁ ସମାଲୋଚନା କରି ଯୋଉ ବିଜେପି ସିବିଆଇ ତଦନ୍ତ ପ୍ରତି ଓଡ଼ିଶାବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ, ସୁରେଶ ପୂଜାରୀ, ଜୟନାରାୟଣ ମିଶ୍ରଙ୍କ ଭଳି ତୁଙ୍ଗନେତାମାନେ ସିବିଆଇ ତଦନ୍ତକୁ ସର୍ବାଧିକ ଗୁରୁତ୍ୱ ଦେଇଥିଲେ ।
ବିଜେପିର ଯୁବନେତା ସୂରଜ ରାଜବଂଶୀଙ୍କ ନିର୍ବାଚନ ପ୍ରଚାର ସମୟର ଲୋକପ୍ରିୟ ଡାଇଲଗ ଥିଲା ‘ନବଦାସ କୋ କିସ୍ନେ ମାରା’ । ଏଭଳି ଡାଇଲଗ୍ ମାରି ସୂରଜ ରାଜବଂଶୀ ତକ୍ରାଳୀନ ବିଜେଡି ସରକାର ଓ ପୁଲିସ ପ୍ରଶାସନର ସନ୍ଦେହଜନକ ଭୂମିକା ପ୍ରତି ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
୨୦୨୪ ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କଲା । ସୂରଜ ରାଜବଂଶୀ, ପୃଥ୍ୱୀରାଜ ହରିଚନ୍ଦନଙ୍କ ଭଳି ଯୁବନେତାଗଣ ମୋହନ ମାଝିଙ୍କ କ୍ୟାବିନେଟରେ ଯୋଗଦାନ କଲେ ।
ନବଦାସଙ୍କ ହତ୍ୟା ମାମଲାର ଅସଲ ଉଦ୍ଦେଶ୍ୟ ଲୋକଙ୍କ ନଜରକୁ ଆଣିବା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଦୃଢ଼ତାର ସହିତ କହିଥିଲେ ଯେ ନବଦାସଙ୍କ ପରିବାର ନିକଟରୁ ଲିଖିତ ଅନୁରୋଧ ପାଇବା ପରେ ରାଜ୍ୟ ସରକାର ମାମଲାର ସିବିଆଇ ତଦନ୍ତ ପାଇଁ ନିଷ୍ପତି ନେବେ ।
ବହୁ ଆଶା ଆଶଙ୍କା ଭିତରେ ନବଦାସଙ୍କ ପରିବାର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟି ମାମଲାର ସିବିଆଇ ତଦନ୍ତ ପାଇଁ ଅନୁରୋଧ ପତ୍ର ପ୍ରଦାନ କଲେ । ନବଦାସଙ୍କ ପରିବାର ନିକଟରୁ ଲିଖିତ ଅନୁରୋଧ ପାଇବା ପରେ ବିଜେପି ସରକାରଙ୍କ ଆଭିମୁଖ୍ୟ ବଦଳିଗଲା । ବିରୋଧୀ ଆସନରେ ବସିଥିବା ବେଳେ ଯୋଉ ବିଜେପି ଦୃଷ୍ଟିରେ ରାଜ୍ୟ କ୍ରାଇମ୍ ବ୍ରାଂଚ୍ ଦୁର୍ବଳ ବିବେଚିତ ହେଉଥିଲା ।
ସେହି କ୍ରାଇମ୍ ବ୍ରାଂଚ୍ ବିଜେପି ସ୍ପର୍ଶ ପାଇ ଦକ୍ଷ ଓ କୁଶଳୀ ତଦନ୍ତକାରୀ ସଂସ୍ଥା ହୋଇଗଲା । ନବଦାସଙ୍କ ହତ୍ୟା ମାମଲା ସିବିଆଇ ତଦନ୍ତ ଯୋଗ୍ୟ ନୁହେଁ ବୋଲି କିଛି ବିଜେପି ନେତା ଖୋଲାଖୋଲି କହିବା ଆରମ୍ଭ କରିଛନ୍ତି ।
ଆମର କହିବା କଥା ହେଉଛି ଅତୀତରେ ଯୋଉ ପୁଲିସ ପ୍ରଶାସନ ବିଜେଡି ପାଇଁ କାମ କରୁଥିଲା । ସେହି ପୁଲିସ ପ୍ରଶାସନ ଏବେ ବିଜେପି ପାଇଁ କାମ କରୁନି ବୋଲି କିଏ ଛାତିରେ ହାତପିଟି କହିବ? ନବଦାସଙ୍କ ଅସଲ ଅପରାଧୀକୁ ଧରି ନପାରିଲେ କ୍ଷମତାସୀନ ବିଜେପିକୁ ଆଗାମୀ ଦିନରେ ବିଜେଡି ଦଶା ଭୋଗିବନି ତ?