୧୩ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

ଦକ୍ଷିଣ ମୁହାଁ ମୌସୁମୀ ନିମ୍ନ ଚାପରେଖା । ଅଗଷ୍ଟ ୫ତାରିଖରୁ ରାଜ୍ୟରେ ବର୍ଷା….

ଭୁବନେଶ୍ୱର:  ଅଗଷ୍ଟ ୫ତାରିଖରୁ ରାଜ୍ୟରେ ବର୍ଷା ବଢିବ । ୫ତାରିଖରେ ୧୦ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ । ୬ ତାରିଖରେ ବର୍ଷାର ବିସ୍ତୃତି ଏବଂ ପରିମାଣ ବଢିବ । ୫ ଜିଲ୍ଲାରେ ଅତି ପ୍ରବଳ ଏବଂ ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।  ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ କେନ୍ଦୁଝର ଆଦି ୧୩ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ୪ ତାରିଖ ଦିନ ରାଜ୍ୟର ପାଗ ଶୁଖିଲା ରହିବ । ୫ ତାରିଖ ଦିନ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ବର, ପୁରୀ, ଜଗତସିଂହପୁର ଓ କନ୍ଧମାଳ ଆଦି ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୬ ତାରିଖ ଦିନ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପ୍ରଭାବ ବଢ଼ିବ । ପୁରୀ, ଗଞ୍ଜାମ, ଖୋର୍ଧା, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏଥିସହ ରାଜ୍ୟର ବାକି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧ ଜୁନ୍‌ରୁ ୨ ଅଗଷ୍ଟ ଯାଏ ରାଜ୍ୟରେ ସର୍ବମୋଟ ୫୧୬.୩ମିମି ବର୍ଷା ହୋଇଯାଇଛି । ଏହି ସମୟ ଅବଧି ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୫୭୨.୬ମିମି ବର୍ଷା ହୋଇଥାଏ। ଅର୍ଥାତ ଏବେ ରାଜ୍ୟରେ ମୋଟ୍ ୧୦% ନିଅଣ୍ଟ ବର୍ଷା ରେକର୍ଡ ହୋଇଥିଲେ ମଧ୍ୟ ଏହା ସ୍ବାଭାବିକ ପରିସରଭୁକ୍ତ ।