ଓଧ ସଙ୍ଗେ ଭୁଆ ବାଇ: ବିଜେଡି ପାଇଁ ଭୋଟ ମାଗୁଛନ୍ତି ମହାପ୍ରଭୁ ଜଗନ୍ନାଥ
ସତେ ଯେମିତି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିଛି । ଶ୍ରୀମନ୍ଦିର ଚାରିପଟେ ସୁରୁଖୁରୁରେ ପରିକ୍ରମା କରିବା ପାଇଁ ମାମୁଲି ପ୍ରକଳ୍ପଟିଏ । ତା’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଗଜପତି ମହାରାଜା ମଧ୍ୟ ବାଇ ହୋଇ ବ୍ରାହ୍ମଣବରଣ କରୁଛନ୍ତି ।
କେବଳ ଗଜପତି ମହାରାଜା ନୁହନ୍ତି, ରାଜ୍ୟର ପ୍ରତ୍ୟେକ ପରିବାର ଏଭଳି ଭାବେ ମାତି ଉଠିଛନ୍ତି ସତେ ଯେମିତି ପୂର୍ବରୁ କେବେ ସେମାନେ ମହାପ୍ରଭୁ ଜଗନ୍ନାଥ, ବଳିଆର ଭୁଜ ବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ପୂଜାର୍ଚ୍ଚନା କରିନାହାନ୍ତି ।
ପିଲାଦିନରୁ ମୁଁ ମୋ ଘରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଫଟୋ ପୂଜା କରିଆସୁଛି ।
ସେମାନେ ପ୍ରତି ଓଡ଼ିଆଙ୍କ ମନପ୍ରାଣ ଓ ଶରୀରରେ ଚତୁର୍ଦ୍ଧାମୁରତି ବାସ କରୁଛନ୍ତି । ସେମାନଙ୍କ ଦୁଃଖଦୁର୍ଦ୍ଦଶାକୁ ଦୂର କରିବା ଆଳରେ ରାଜକୋଷରୁ କୋଟିକୋଟି ଟଙ୍କା ଲୁଟ ଚାଲିଛି ।
କେବଳ ମାତ୍ର ଭୋଟ ଖଣ୍ଡିଏ ପାଇବା ପାଇଁ ରାଜ୍ୟରେ ମାଗଣା ଚାଉଳ, କାଳିଆ ଟଙ୍କା, ଛତା, ଜୋତା, କମ୍ବଳ ବିତରଣ କରାଯାଉଛି । ଲୋକଙ୍କ ମୁହଁକୁ ଲାଜ ଲାଗୁନି ଯେ ସେମାନେ ବିଜେଡିର ଲୋକ ଦେଖାଣିଆ ଜଗନ୍ନାଥ ଯାତରାରେ ମାତି ଯାଉଛନ୍ତି ।
ମହାପ୍ରଭୁ ଜଗନ୍ନାଥଙ୍କ ପୋଷ୍ଟର ଟାଟା ଏସି ଗାଡ଼ିରେ ଲଗାଇ କାମଧନ୍ଦା ଛାଡ଼ି ମା’ ମାଉସୀମାନେ ବିଜେଡି କର୍ମୀଙ୍କ ସାଙ୍ଗରେ ନାଚିଗାଇ ରାସ୍ତା କମ୍ପାଉଛନ୍ତି । ଏମିତି ନାଟକବାଜିରେ କ’ଣ ଗରିବଙ୍କ ଦୁଃଖ ଦୂର ହୋଇଯିବ ।
ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଜଗନ୍ନାଥଙ୍କ ରଥ ଆଳରେ ଟାଟା ଏସି ବୁଲୁଛି ।
ଏମିତି ଅଭିନୟ କରି ବିଜେଡି ମୁଖିଆ ପୁଣି ୫ ବର୍ଷ ପାଇଁ ଚଉକିରେ ବସିବାର ଲକ୍ଷ୍ୟ ରଖିଛନ୍ତି । ରାଜ୍ୟର ସାଢେ଼ ୩ କୋଟି ୩୦ ଲକ୍ଷ ଭୋଟରଙ୍କୁ ଭାଲୁ ଲାଞ୍ଜ ଧରାଇ ଦିଆଯାଇଛି । ପ୍ରତି ଘର ଆଗରେ ରାସ୍ତା ଉପରେ ଜଗନ୍ନାଥଙ୍କ ଛବି ଆଙ୍କି ତାକୁ ପାଦରେ ମାଡ଼ିଚାଲ । ଏମିତି ଓଧ ସଙ୍ଗେ ଭୁଆ ଭଳି ବାଇ ହୋଇ ମୁଖ୍ୟମନ୍ତ୍ରୀଙ୍କ କଥାରେ କାଉକୁ କୋଇଲି କହି ଆପଣା ମନକୁ ବୁଝାଇ ଚାଲିଥାଅ ।
ଦର୍ଶକମାନଙ୍କ ମନକୁ ବାଧିଲା ଭଳି କଥା କହିବା ଆମର ମୂଳ ଉଦ୍ଦେଶ୍ୟ ନୁହେଁ । ଆମ ମତରେ ବିଜେଡିର ଭୋଟ ଯାତରାରେ ମହାପ୍ରଭୁ ଜଗନ୍ନାଥଙ୍କୁ ଲଗାଇ ଦିଆଯାଇଛି, ତାକୁ ଦେଖି ରାଜ୍ୟର କୋଉ ବୁଦ୍ଧିଜୀବୀ ପ୍ରତିବାଦ କରୁନାହାନ୍ତି । ୟା’ଠାରୁ ଦୁଃଖର ବିଷୟ ଆଉ କ’ଣ ହୋଇପାରେ? ଗରିବ ଲୋକଟିଏ ପେଟ ପାଇଁ ବିଜେଡିର ଭୋଟ ନାଟକୁ ଆଦରି ନେଇଛି । ହେଲେ ରାଜ୍ୟର ବୁଦ୍ଧିଜୀବୀମାନେ ବିଜେଡିର ଭୋଟ ନାଟକୁ ଆଖିରେ ଦେଖି ନିରବ ରହିବା ଆମକୁ ବାଧୁଛି । ଆମେ ଭୁଲ କହୁଥିଲେ ଆମକୁ ଗାଳି ଦିଅନ୍ତୁ, ଧର୍ମଦ୍ରୋହୀ କୁହନ୍ତୁ । ମହାପ୍ରଭୁ ଜଗନ୍ନାଥଙ୍କୁ ଭୋଟ ମାଗିବା କାମରେ ଲଗାଇ ବିଜେଡି କିଛି ଠିକ କରିନି ।