ରକ୍ତତୀର୍ଥ ଇରମକୁ ପଦଯାତ୍ରାରେ ଯାଇ ୨୯ ଜଣ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ରାଜ୍ୟ ସଭାପତି

ଦେଶ ସ୍ୱାଧୀନତାକୁ ସ୍ମରଣ କରାଇବା ଉଦ୍ଦେଶ୍ୟରେ….

ଭୁବନେଶ୍ୱର: ଦେଶ ସ୍ୱାଧୀନତାକୁ ସ୍ମରଣ କରାଇବା ଉଦ୍ଦେଶ୍ୟରେ ଏବଂ ସ୍ୱାଧୀନତାର ୭୫ ବର୍ଷ ପୁର୍ତି ଅବସରରେ ୧୩୦ କୋଟି ଦେଶବାସୀଙ୍କ ଭାଗିଧାରୀ ଓ ଭାବନାର ପର୍ବ “ଆଜାଦୀ କା ଅମୃତ ମହୋତ୍ସବ” ପାଳନ କରାଯାଉଛି । ଏହି ଅବସରରେ ଯେଉଁ ମହାପୁରୁଷ, ଶହୀଦ, ସ୍ୱାଧୀନତା ସଂଗ୍ରାମୀ ଓ ଅପରିଚିତ ନାୟକମାନେ ଦେଶ ପାଇଁ ତ୍ୟାଗ, ବଳିଦାନ ଓ ତପସ୍ୟା କରିଥିଲେ, ସେମାନଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଉଛି । ଓଡିଶା ରାଜ୍ୟର ବହୁ ମହାପୁରୁଷ, ସ୍ୱାଧୀନତା ସଂଗ୍ରାମୀ ଓ ଅପରିଚିତ ନାୟକମାନଙ୍କୁ ସମ୍ମାନ ଜଣାଇବା ସହିତ ସେମାନଙ୍କ ସଂପର୍କରେ ବର୍ତମାନର ଯୁବପୀଢିକୁ ଅବଗତ କରାଇବା ଆମ ସମସ୍ତଙ୍କ ଦାୟୀତ୍ୱ । ଏହା ଦ୍ୱାରା ଆମ ସଂସ୍କୃତି, ଐତିହ୍ୟ, ପରଂପରା ଓ ଇତିହାସ ସର୍ବଦା ଜୀବନ୍ତ ହୋଇ ରହିବ । ପାଇକ ବିଦ୍ରୋହକୁ ସ୍ୱତନ୍ତ୍ର ଆନ୍ଦୋଳନ ଭାବେ ମୋଦି ସରକାର ମାନ୍ୟତା ଦେବା ସହିତ ଏଥି ପାଇଁ ବଜେଟରେ ୨୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ରାଜ୍ୟ ସରକାର ଜମି ପ୍ରଦାନ କରିବା ମାତ୍ରେ ଖୋର୍ଦ୍ଧାର ବରୁଣେଇ ପାହାଡରେ ସ୍ମାରକୀ ପ୍ରତିଷ୍ଠା ସମ୍ଭବ ହୋଇପାରିବ ଏବଂ ଏହା ହିଁ ପ୍ରକୃତ ପକ୍ଷେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

“ଆଜାଦୀ କା ଅମୃତ ମହୋତ୍ସବ” ପାଳନ ଅବସରରେ ଆଜି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଭଦ୍ରକ ଜିଲ୍ଲା ବାସୁଦେବ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରକ୍ତତୀର୍ଥ ଇରମକୁ ପଦଯାତ୍ରାରେ ଯାଇ ୨୯ ଜଣ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ବହୁ ଅପରିଚିତ ନାୟକମାନଙ୍କ ଜିବନୀକୁ ଲୋକଲୋଚନକୁ ଆଣି ସାର୍ବଜନୀନ କରିବା ଆମ ସମସ୍ତଙ୍କ ପ୍ରଥମ ଦାୟୀତ୍ୱ ହେଉ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଅବସରରେ ରକ୍ତତୀର୍ଥ ଇରମ ମାଟିର ଶହୀଦ ସଂଗ୍ରାମୀମାନଙ୍କ ପରିବାର ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ମନମୋହନ ସାମଲ, ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ ଓ ସିପ୍ରା ବାଜପେୟୀ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ, ମାଧବ ମଲ୍ଲିକ ଓ ପଂଚାନନ ନାୟକ, ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ସୁରଜ ସୂର୍ଯ୍ୟବଂଶୀ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଦେବାଂଶୁ ରାଉତ, ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।