ଗତ ୧୫ ଦିନ ଧରି ପାଳନ ହେଉଥିବା “ସାମାଜିକ ନ୍ୟାୟ ପକ୍ଷ”ର ଆଜି ଶେଷ ଦିବସ

ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତି ଅବସରରେ ଦେଶମାତୃକା ପାଇଁ…..

ଭୁବନେଶ୍ୱର: ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତି ଅବସରରେ ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ସମସ୍ତ ଶହୀଦ, ସ୍ୱାଧୀନତା ସଂଗ୍ରାମୀ ଏବଂ ଅଗଣିତ ଅପରିଚିତ ନାୟକ ମାନଙ୍କର ତ୍ୟାଗ ଏବଂ ବଳିଦାନକୁ ସ୍ମରଣ କରିବା ସହିତ ଯୁବବର୍ଗଙ୍କୁ ଦେଶପ୍ରେମ ଓ ରାଷ୍ଟ୍ର ଗଠନରେ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି “ଆଜାଦିର ଅମୃତ ମହୋତ୍ସବ”ର ଶୁଭାରମ୍ଭକରିଛନ୍ତି । ଏହି କାର୍ଯ୍ୟକ୍ରମ ଦେଶର ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ସମେତ ୧୫୦ରୁ ଅଧିକ ଦେଶରେ ଆୟୋଜନ ହେଉଛି । ଜନଭାଗିଦାରୀ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମ ନଦୀ ଉତ୍ସବ, ସ୍ୱଚ୍ଛାଗ୍ରହ କାର୍ଯ୍ୟକ୍ରମ, ଯୋଗ ଦିବସ, ବାଇକ୍‌ ଶୋଭାଯାତ୍ରା, ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମ, ମୁରୁଜ, ପ୍ରବନ୍ଧ ଲିଖନ, କବିତା, ଦେଶଭକ୍ତି ଗୀତ ଓ ଜାତୀୟ ସଙ୍ଗୀତ ଗାୟନ ପ୍ରତିଯୋଗିତା ଭଳି ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମ ସହ ଜଡିତ ନାୟକ, ନେତୃବର୍ଗ ଏବଂ ମହାପୁରୁଷମାନଙ୍କୁ ସ୍ମରଣ କରାଯାଇ ସହରଂଚଳ, ଗ୍ରାମାଂଚଳ, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତସର୍ବସାଧାରଣ ସ୍ଥାନରେ ଆୟୋଜନ କରାଯାଉଛି ।ଦେଶର ସମୃଦ୍ଧ କଳା, ସଂସ୍କୃତି ଏବଂ ଐତିହ୍ୟ ସହ ଅଧିକରୁ ଅଧିକ ସଂଖ୍ୟକ ଲୋକମାନଙ୍କୁ ଯୋଡିବା ଲାଗି ବହୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଜନଜାତି ସମୁଦାୟର ସମ୍ମାନରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରିବାରନିଷ୍ପତି ଅତ୍ୟନ୍ତ ଖୁସିର ଖବର । ସେହିପରି ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ହୋଲୋଗ୍ରାଫିକ୍‌ ପ୍ରତିମୂର୍ତିର ଅନାବରଣ, ଶହୀଦ ଦିବସରେ କୋଲକତାରେ ବିପ୍ଲବୀ ଭାରତ ଗ୍ୟାଲେରୀର ଉଦ୍‌ଘାଟିତ, ମହିଳା ବିପ୍ଲବୀ ମାନଙ୍କୁ ସମର୍ପିତ ପୁସ୍ତକର ଉନ୍ମୋଚନ, ‘ଡ୍ରୋନ୍‌ ଶୋ’ ମାଧ୍ୟମରେ ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ର ଭାବନାକୁ ପ୍ରଗାଢ କରି ବନ୍ଦେ ମାତରମ୍‌ କାର୍ଯ୍ୟକ୍ରମ ସହିତ କଳାକାରମାନଙ୍କୁ ରିପବ୍ଲିକ୍‌ ଡେ’ ପାରେଡ୍‌ ରେ ଅଂଶଗ୍ରହଣ କରିଛନ୍ତି । ପ୍ରଥମ ଥର ପାଇଁ ଲଦାଖରେ ବିଶ୍ୱର ସବୁଠୁ ବଡ ଖଦି ନିର୍ମିତ ୨୨୫ ଫୁଟ ଲମ୍ବା ଜାତୀୟ ପତାକା ଉତୋଳନ କରାଯାଇଛି । ଆଧୁନିକ ଭାରତନିର୍ମାଣରେ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ସମସ୍ତ ପ୍ରଧାନମନ୍ତ୍ରୀଙ୍କୁସମ୍ମାନ ଜଣାଇ ‘ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ’ ମାଧ୍ୟମରେ ଦେଶର ପ୍ରଧାନମନ୍ତ୍ରୀମାନଙ୍କ ଯୋଗଦାନକୁ ପ୍ରଦର୍ଶିତ କରାଗଲା । ଅମୃତ ମହୋତ୍ସବ ପାଳନ ଅବସରରେ ଭବିଷ୍ୟତ ଭାରତକୁ ନେଇ ନିଜର ସ୍ୱପ୍ନ ସଂପର୍କରେ ଦେଶର ୧କୋଟିରୁ ଅଧିକ ପିଲା ପୋଷ୍ଟକାର୍ଡ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମତାମତ ଦେଇଛନ୍ତି । ଏହା ଦ୍ୱାରା ଆଗାମୀ ପୀଢି ଦେଶର ଇତିହାସ ଏବଂ ସ୍ୱାଧୀନତା ଓ ସ୍ୱାଧୀନତା ସଂଗ୍ରମୀଙ୍କ ସଂପର୍କରେ ଅବଗତ ହେବା ସହ ତାଙ୍କ ବଳିଦାନରୁ ନିଶ୍ୱିତ ଭାବେ ପ୍ରେରଣା ପାଇବେ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ରମାରଂଜନ ବଳିୟାରସିଂହ କହିଛନ୍ତି ।

ଅନ୍ୟ ପକ୍ଷରେ ଏହି ମହାନ କାର୍ଯ୍ୟର ସଚେତନତା ଏବଂ ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ପରିଲକ୍ଷିତ ହୋଇଛି । ରାଜ୍ୟର ସ୍ୱାଧୀନତା ସଂଗ୍ରାମୀ, ଶହୀଦ ଓ ସୈନିକଙ୍କୁ ସମ୍ମାନ ଜଣାଇବା ପାଇଁ କୈାଣସି ଯୋଜନା ନାହିଁ । ଶହୀଦ ଲକ୍ଷ୍ମଣ ମୁଣ୍ଡାଙ୍କ ଭଳି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମସ୍ଥଳୀ ଆଜି ମଧ୍ୟ ଅବହେଳିତ ହୋଇ ପଡିରହିଛି । କିଛି ଦିନ ତଳେ ଭଦ୍ରକର ସ୍ୱାଧୀନତା ସଂଗ୍ରାମୀ ଗୈାରବ ମହାପାତ୍ରଙ୍କ ପତ୍ନୀ ମୀରା ଦେଇଙ୍କୁ ଅସହଯୋଗ ଓ ଅସମ୍ମାନ ପ୍ରଦର୍ଶନ, ଗାନ୍ଧୀ ସ୍ମୃତିପୀଠ ବେରବୋଇ, ଭଦ୍ରକର ରକ୍ତତୀର୍ଥ ଇରମ, ଖୋର୍ଦ୍ଧା ପାଇକ ସ୍ମୃତି ନିର୍ମାଣରେ ରାଜ୍ୟ ସରକାର ଅବହେଳା ପ୍ରଦର୍ଶନ କରିବା ଅତ୍ୟନ୍ତ ପରିତାପର ବିଷୟ । କେବଳ ରାଜଧାନୀରେ ଶୀତତାପ ନିୟନ୍ତ୍ରୀତ କକ୍ଷରେ ଅଳ୍ପ କିଛି ସରକାରୀ ଅଧିକାରୀ ଏବଂ ଗଣମାଧ୍ୟମ ଉପସ୍ଥିତିରେ ଶହିଦ ଓ ମହାପପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ନିଜ ଦାୟୀତ୍ୱ ସାରି ଦେଉଛନ୍ତି ରାଜ୍ୟ ସରକାର । ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଜ୍ୟରେ ଏକ ସ୍ୱତନ୍ତ୍ର ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇ ସେମାନଙ୍କ ଦ୍ୱାରା ବ୍ୟବହାର ହେଉଥିବା ସାମଗ୍ରୀକୁ ସଂରକ୍ଷିତ ରଖାଯାଉ । ଏହା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ସମାଜର ତଳସସ୍ତରରେ ବାସ କରୁଥିବା ଗରୀବଶ୍ରେଣୀ ଲୋକଙ୍କ ଉତ୍‌ଥାନଏବଂ ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ଯଥାଶୀଘ୍ର ସାମିଲ କରିବା ଏବଂ ରାଷ୍ଟ୍ରଗଠନ ଓ ମହାପୁରୁଷଙ୍କ ଜିବନୀ ସଂପର୍କରେ ଦେଶ ତଥା ବିଶ୍ୱବାସୀଙ୍କୁ ଅବଗତ କରାଇବା ହେଉଛି ମୋଦି ସରକାରଙ୍କ ମୂଳ ଉଦ୍ଦେଶ୍ୟ । ଏପ୍ରିଲ ୬ ପ୍ରତିଷ୍ଠା ଦିବସ ପରେ ବିଜେପି ତରଫରୁ ଦେଶବ୍ୟାପୀ “ସାମାଜିକ ନ୍ୟାୟ ପକ୍ଷ” ପାଳନ କରାଯାଉଥିଲା ଏବଂ ଆଜି ହେଉଛି ଅନ୍ତିମ ଦିିବସ । ଏହି ଅବସରରେ ବିଜେପି କାର୍ଯ୍ୟକର୍ତାମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ପ୍ରଚାର ଓ ପ୍ରସାର କରିବା ସହିତ ହିତାଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଗତ ୧୫ ଦିନ ଧରି ପାଳନ ହେଉଥିବା “ସାମାଜିକ ନ୍ୟାୟ ପକ୍ଷ” ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସମେତ ସମସ୍ତ କାର୍ଯ୍ୟକର୍ତା ରାଜ୍ୟର ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ଯୋଜନାର ସୁଫଳକୁ ସାଧାରଣ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିିଲୀପ ମଲ୍ଲିକ ଏବଂ ସହମୁଖ୍ୟ ସୁଜିତ୍‌ କୁମାର୍‌ ଦାସ୍‌ଉପସ୍ଥିତ ଥିଲେ ।