ହତାଶିଆ କଂଗ୍ରେସକୁ ଚକମକ କରିବେ ଗମାଙ୍ଗ କମ୍ପାନୀ

ଭୁବନେଶ୍ୱର: ବେଶ କିଛିଦିନ ଧରି ବିଜେପିରେ ହଲାପଟା ହେଲାପରେ କେସିଆରଙ୍କ ‘ବିଆରଏସ’କୁ ଆଦରିବାକୁ ଯାଉଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଆଣ୍ଡ କୋ । ମାତ୍ର ତେଲେଙ୍ଗାନା କ୍ଷମତାରୁ ବିଆରଏସ୍‌ ବିଦାୟ ନେଲାପରେ ଗମାଙ୍ଗ ପରିବାର ଅଗତ୍ୟା ଫେରି ଆସିଛନ୍ତି ପୁରୁଣା ଗାତକୁ । କୋରାପୁଟ ନାଗ ଭାବେ ପରିଚିତ ଗିରିଧର ଗମାଙ୍ଗଙ୍କୁ ମୁଣ୍ଡରେ ବସାଇଥିଲା କଂଗ୍ରେସ । ହେମା ଗମାଙ୍ଗକୁ ଲୋକସଭା ସଭ୍ୟ କରିଥିଲା କଂଗ୍ରେସ । ମାତ୍ର ରାଜନୈତିକ ଗଣିତଟା ଟିକେ ଅଡୁଆ ହୋଇଯିବାରୁ ଗମାଙ୍ଗ କମ୍ପାନୀ ବିଜେପିକୁ ଡେଇଁ ପଡ଼ିଥିଲେ ।

ରାଗରେ ବିଜେପିକୁ ଡେଇଁ ପଡ଼ିଲେ ସିନା; ହେଲେ କଂଗ୍ରେସରୁ ପାଉଥିବା ସମ୍ମାନ ସେଠି ମିଳିଲାନି । ବିଜେପିରେ କୋଣଠେସା ହୋଇ ରହିବା ଛଡ଼ା ତାଙ୍କ ନିକଟରେ ବିକଳ୍ପ କିଛି ନଥିଲା । ଗମାଙ୍ଗ ଭାବୁଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କୋରାପୁଟର ଆଦିବାସୀ ଚେହେରା ହୋଇଥିବାରୁ ବିଜେପି ତାଙ୍କୁ ଗୁରୁତ୍ୱ ଦେବ; ମାତ୍ର ତାହା ହେଲାନି ।

ଯାହା ହେଉ, ରାଜ୍ୟ କଂଗ୍ରେସର ହତାଶିଆ ଚେହେରାକୁ ଚକମକ କରିବା ପାଇଁ ଗମାଙ୍ଗଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିବ ।