ଶୁଭ ନା ଅଶୁଭ: ଶ୍ରୀମନ୍ଦିର ପରିକ୍ରମା ପଥକୁ ଦେଖିଲା ପକ୍ଷୀରାଜ

ପୁରୀ: ପବିତ୍ର ବଡ଼ଦାଣ୍ଡର ଶ୍ରୀମନ୍ଦିର ମେଘନାଦ ପାଚେରୀ କଡେ଼କଡେ଼ ନବନିର୍ମିତ ପରିକ୍ରମା ପଥକୁ ଦର୍ଶନ କରିଛନ୍ତି ପକ୍ଷୀରାଜ ଗରୁଡ଼ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଐତିହାସିକ ଅବଦାନ ବୋଲି କିଛି ଗଣମାଧ୍ୟମ ବର୍ଣ୍ଣନା କରିଛନ୍ତି । ମହାଯଜ୍ଞର ଅଙ୍କୁରାରୋପଣ କାର୍ଯ୍ୟରେ ବ୍ୟବହୃତ ପଂଚଶସ୍ୟରୁ ଅଙ୍କୁରୋଦଗମ ଓ ଆକାଶରୁ ଟୋପା ଟୋପା ବର୍ଷା ବୁନ୍ଦା ପଡ଼ିଲେ; ତାହାକୁ ଅତ୍ୟନ୍ତ ଶୁଭ ଧରି ନିଆଯାଇଥାଏ । ଶ୍ରୀମନ୍ଦିର ପରିକ୍ରମା ପଥ ଲୋକାର୍ପଣ ଅବସରରେ ଭକ୍ତ ଓ ସେବାୟତମାନେ ଏହି ଦୁଇଟି ଯାକ ଲକ୍ଷଣକୁ ଦେଖି ଆନନ୍ଦରେ ଗଦଗଦ ହୋଇଛନ୍ତି ।

ତେବେ ଦିନ ପ୍ରାୟ ୩ଟା ହେବ; ଶ୍ରୀମନ୍ଦିର ଚୂଡ଼ା ନିକଟରେ ଗୋଟିଏ ଚିଲ ଉଡୁଥିବାର କିଛି ଭକ୍ତ ଦେଖିବାକୁ ପାଇଛନ୍ତି ବୋଲି ଦୃଢ଼ତାର ସହ କହିଛନ୍ତି । କିଛି ଗଣମାଧ୍ୟମ ତାକୁ ଗୁଡ଼ି ହୋଇଥିବ କହି ଏଡ଼ାଇ ଯାଇଥିଲେ । କିନ୍ତୁ ସମାଲୋଚକମାନେ ତାକୁ ଅତି ଅଶୁଭ ବୋଲି କହିଛନ୍ତି । କିଛି ପଣ୍ଡିତଙ୍କ ମତରେ ବ୍ରହ୍ମ ବିଭ୍ରାଟ ଭଳି ଭୟଙ୍କର ଦଶାରୁ ମୁକୁଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ମାମୁଲି ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକୁ ମହାଯଜ୍ଞର ରୂପ ଦେଇଛନ୍ତି ।