ବିଚିତ୍ର ଶିକ୍ଷାନୀତି: ଦ୍ୱିତୀୟ ଶ୍ରେଣୀ ବହି ପଢ଼ି ପାରୁନାହାନ୍ତି ଗ୍ରାଜୁଏଟ୍‌

ନୂଆଦିଲ୍ଲୀ: ଦେଶର ବିଚିତ୍ର ଶିକ୍ଷାନୀତିକୁ ବିଭିନ୍ନ ସ୍ତରରେ ସମାଲୋଚନା କରାଯାଇଛି । ସାର୍ଟିଫିକେଟରେ ଉଚ୍ଚଶିକ୍ଷିତ ବୋଲାଉଥିବା ଯୁବକ ଯୁବତୀମାନଙ୍କ ଭିତରୁ ପ୍ରାୟ ୪୩ ଭାଗ ନିର୍ଭୁଲ ଇଂରାଜୀ ପଢ଼ି ପାରୁନାହାନ୍ତି ।ସରକାରଙ୍କ ତଥ୍ୟ ମୁତାବକ ଦେଶରେ ସାକ୍ଷରତା ହାର ବୃଦ୍ଧି ପାଉଛି । ମାତ୍ର ସେମାନଙ୍କ ଭିତରୁ ଅଧିକାଂଶ ଆଂଚଳିକ ଭାଷାରେ ମୁଦ୍ରିତ ସମ୍ବାଦପତ୍ର ଓ ପୁସ୍ତକକୁ ପଢ଼ିବାକୁ ସମର୍ଥ ନୁହନ୍ତି । ଏପରିକି ୨୫ ଭାଗ ଶିକ୍ଷିତ ଯୁବବର୍ଗ ଦ୍ୱିତୀୟ ଶ୍ରେଣୀର ବହିକୁ ପଢ଼ି ପାରୁନାହାନ୍ତି । ଏଥିରୁ ଦେଶରେ ଶିକ୍ଷାର ମାନ କେତେ ଉନ୍ନତ; ତାହା ପ୍ରମାଣିତ ହୋଇଯାଇଛି । ଆନୁଆଲ ଷ୍ଟାଟସ୍‌ ଅଫ୍‌ ଏଜୁୂକେଶନ ରିପୋର୍ଟ ମୁତାବକ ୨୦୧୭ରେ ୭୭ ଭାଗ ଶିକ୍ଷିତ ଯୁବବର୍ଗ ଦ୍ୱିତୀୟ ଶ୍ରେଣୀର ବହି ପଢ଼ି ପାରୁଥିଲେ ।

୨୦୨୩ରେ ସେହି ସଂଖ୍ୟା ୭୩ ଭାଗକୁ କମିଯାଇଛି । କରୋନା ମହାମାରୀ ଚରମ ସୀମାରେ ଥିଲାବେଳେ ଅନେକ ଶିଶୁ ପାଠପଢ଼ା ଛାଡ଼ି ଦେଇଥିଲେ ବୋଲି ଯାହା କୁହାଯାଉଛି । ତାହା କିୟଦାଂଶରେ ସତ୍ୟ ମାତ୍ର ଶିଶୁମାନଙ୍କୁ ଯୁବବର୍ଗରେ ସାମିଲ କରିବାର ଆବଶ୍ୟକତା ନାହିଁ ।୧୮ରୁ ୩୪ ବର୍ଷ ବୟସର ଶିକ୍ଷିତ ଗୋଷ୍ଠୀ ନିକଟରେ ଆଂଚଳିକ ଭାଷା ଜ୍ଞାନର ଘୋର ଅଭାବ ଦେଖାଦେଇଛି । ବିଶେଷ କରି ଘରୋଇ ଇଂରାଜୀ ମିଡିୟମ ବିଦ୍ୟାଳୟଗୁଡ଼ିକରେ ଆଂଚଳିକ ଭାଷାକୁ ଗୌଣ କରି ଦିଆଯାଉଛି ।