ପୁଲିସ ଜାଣତରେ ସହରକୁ ପଶୁଛି ଭାରୀଯାନ; ନେଉଛି ଜୀବନ

ଭୁବନେଶ୍ୱର: ଗତ ଦୁଇବର୍ଷରେ କମିଶନରେଟ୍‌ ପୁଲିସ ଅଂଚଳରେ ୮୭ଟି ମୁଣ୍ଡ ନେଇଛି ଭାରୀଯାନ । ସହରକୁ ବିନା ଅନୁମତିରେ ପଶି ଆସୁଥିବା ଭାରୀଯାନ ବିରୋଧରେ କମିଶନରେଟ୍‌ ପୁଲିସ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନି । କେବଳ ଜରିମାନା ଆଦାୟ କରି ବସିଯାଉଛି ମାତ୍ର ଚାଳକଙ୍କ ଲାଇସେନ୍ସ ବାତିଲ କରୁନି ।

ଉଦବେଗର ବିଷୟ ହେଉଛି, ପୁଲିସ ଉପସ୍ଥିତିରେ ଭାରୀଯାନଗୁଡ଼ିକ ସହର ଭିତରକୁ ପ୍ରବେଶ । କୁଆଖାଇ ନଦୀ ଆରପଟୁ ଭାରୀଯାନକୁ ଅଟକା ଯାଇପାରିବ । ତମାଣ୍ଡୋ ନିକଟରୁ ଭାରୀଯାନ ଅଟକାଇ ହେବ । ବାରଙ୍ଗ ନିକଟରୁ ଭାରୀଯାନ ଅଟକାଇ ହେବ । ଉତରା ଛକ ନିକଟରୁ ଭାରୀଯାନ ଅଟକାଇ ହେବ । କମିଶନରେଟ୍‌ ପୁଲିସ ପକ୍ଷରୁ ନିୟୋଜିତ ପୁଲିସ କର୍ମଚାରୀମାନେ ସଂପୃକ୍ତ ଛକରେ ଉପସ୍ଥିତ ରହୁଛନ୍ତି; ଭାରୀଯାନ ଚାଳକ ମୁଣ୍ଡରେ ସହର ଭିତରକୁ ପଶିବାର ବୁଦ୍ଧି ବତାଇ ଭଲ ରୋଜଗାର କରୁଛନ୍ତି ।

ଏପରି ଅଭିଯୋଗ କରିଛନ୍ତି ସଂପୃକ୍ତ ଛକ ନିକଟରେ ଚଳପ୍ରଚଳ ହେଉଥିବା କିଛି ଛୋଟକାଟର ଆଂଚଳିକ ଟାଉଟର । ସେମାନଙ୍କ ସୂଚନା ମୁତାବକ, ହାଇଟେକ ଛକ ନିକଟରେ ମୁତୟନ ପୁଲିସ କର୍ମଚାରୀମାନେ ଗଛଛାଇରେ ଆରାମ କରୁଛନ୍ତି । ଆପଣା ମର୍ଜିରେ ପାଳି କରି ଯାନବାହନ ଚଳପ୍ରଚଳକୁ ନିୟନ୍ତ୍ରଣ କରୁଛନ୍ତି । ଅଧିକାଂଶ ସମୟ ମୋବାଇଲ ଦେଖାରେ କଟିଯାଉଛି ।

ସକାଳ ୮ଟାରୁ ରାତି ୧୦ଟା ଯାଏ ସହର ଭିତରକୁ ଭାରୀଯାନ ପ୍ରବେଶ ପ୍ରତି କଟକଣା କରାଯାଇଛି । କିନ୍ତୁ ଅନେକ ସମୟରେ ଭାରୀଯାନଗୁଡ଼ିକ ବାଟ ଭୁଲି ସହର ଭିତରକୁ ପଶି ଆସୁଛନ୍ତି ଓ ଛୋଟଯାନ ଆରୋହୀଙ୍କ ଜୀବନ ନେଇଯାଉଛନ୍ତି ।