ମୋଦିଙ୍କୁ ଘାରିଲା ଧର୍ମେନ୍ଦ୍ର ଓ ଅଶ୍ୱିନୀଙ୍କୁ ଥଇଥାନ

ଭୁବନେଶ୍ୱର: ଲୋକସଭା ନିର୍ବାଚନ ଜିତିବା ପାଇଁ ବିଜେପି ଯୋଉମାନଙ୍କୁ ଆଗଧାଡ଼ିରେ ରଖିବାକୁ ଯାଉଛି; ସେହିମାନଙ୍କ ଭିତରୁ କିଛି ନେତାଙ୍କ ରାଜ୍ୟସଭା ଅବଧି ସରିଯାଉଛି । କୌଣସି ନେତାଙ୍କୁ ଦୁଇଥରରୁ ଅଧିକ ବାର ରାଜ୍ୟସଭାକୁ ପଠାଇବା ବିଜେପିର ନିୟମ ବିରୁଦ୍ଧ । ମାତ୍ର ବିଜେପିର ବଳିଷ୍ଠ ନେତାମାନଙ୍କୁ କିଭଳି ଥଇଥାନ କରାଯିବ; ତାହା ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ବଡ଼ ଆହ୍ୱାନ । ଅବଶ୍ୟ ସଂଘ ପରିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଯେକୌଣସି ନିୟମକୁ ବଦଳାଇ ଦେଇପାରିବ ।

ସୂଚନା ମୁତାବକ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଭୁପେନ୍ଦ୍ର ଯାଦବ, ଧର୍ମେନ୍ଦ୍ର ପ୍ରଧାନ, ମନସୁଖ ମାଣ୍ଡବୀୟ, ଅଶ୍ୱିନୀ ବୈଷ୍ଣବ, ହରଦୀପ ସିଂ ପୁରୀ, ନାରାୟଣ ରାଣେ, ପୁରୁଷୋତମ ରୂପାଲା ଭଳି ମନ୍ତ୍ରୀମାନଙ୍କର ରାଜ୍ୟସଭା କାଳ ସରିଯାଉଛି । ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର, ବି ମୁରଲୀଧରନ ଓ ଏନ ମୁରୁଗନଙ୍କ କାର୍ଯ୍ୟକାଳ ପାଖେଇ ଆସିଲାଣି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ ତୃତୀୟ ଥର ପାଇଁ ରାଜ୍ୟସଭାକୁ ଯାଇଛନ୍ତି । ଭୂପେନ୍ଦ୍ର ଯାଦବ, ଧର୍ମେନ୍ଦ୍ର ପ୍ରଧାନ, ପୁରୁଷୋତମ ରୂପାଲା, ମନସୁଖ ମାଣ୍ଡବୀୟ, ଜେପି ନଡ୍ଡା ଦ୍ୱିତୀୟ ବାର ରାଜ୍ୟସଭାକୁ ଯାଇଛନ୍ତି ।

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଧର୍ମେନ୍ଦ୍ର, ଅଶ୍ୱିନୀଙ୍କ ସମେତ ଅନ୍ୟମାନଙ୍କୁ ତୃତୀୟ ପାଳି ରାଜ୍ୟସଭାକୁ ପଠାଇବେ କି?