କେପ୍‌ ଟାଉନ୍‌ ପିଚ୍‌ ଖେଳିବା ପାଇଁ ଅଯୋଗ୍ୟ କହିଲେ ରୋହିତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାଜିତ କରିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କେପ୍‌ ଟାଉନ୍‌ ପିଚ୍‌ ପ୍ରତି ଆଇସିସିର ଉଦାରମନାକୁ ପ୍ରଶ୍ନ କରିଛନ୍ତି । ରୋହିତ କହିଛନ୍ତି, ଆଇସିସି ସବୁବେଳେ ଭାରତର ପିଚ୍‌ ପ୍ରତି ପ୍ରଶ୍ନ କରିଆସୁଛି । ଭାରତର ପିଚ୍‌କୁ ସମାଲୋଚନା କରୁଥିବା ଆଇସିସି ଅଧିକାରୀମାନେ କେପ୍‌ ଟାଉନ୍‌ ପଡ଼ିଆର ଦୟନୀୟ ସ୍ଥିତିକୁ ଭଲ କରି ପରଖିବା ଉଚିତ ।

କେପ୍‌ ଟାଉନ୍‌ ପିଚକୁ ଦେଖିବା ମାତ୍ରେ ରୋହିତ ଆଇସିସିର ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ତାଙ୍କ କଥାକୁ ଆଇସିସି ଗୁରୁତ୍ୱ ଦେଇ ନଥିଲା । ରୋହିତ କହିଛନ୍ତି, ବିଶ୍ୱକପ୍‌ ଫାଇନାଲ ଖେଳା ଯାଇଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମର ପିଚକୁ ଆଇସିସି କମ୍‌ ରେଟିଂ ଦେଇଛନ୍ତି । ମାତ୍ର କେପ୍‌ ଟାଉନ୍‌ ପିଚକୁ ଭଲ ରେଟିଂ ଦିଆଯାଉଛି । ଏଭଳି ପାତର ଅନ୍ତର କ’ଣ ପାଇଁ?