ସଂପାଦକୀୟ: ଗଞ୍ଜେଇ ଚାଷକୁ ମିଳୁ ଜାତୀୟ କୃଷି ମାନ୍ୟତା

ଭୁବନେଶ୍ୱର: ସୁସ୍ଥ ଶରୀର ପାଇଁ ନିୟମିତ ଖିର ପିଇବାକୁ କୁହାଯାଉଛି । କିନ୍ତୁ ଲୋକମାନେ ମଦକୁ ସୁସ୍ଥ ପାନୀୟ ରୂପେ ଅଧିକ ପସନ୍ଦ କରୁଛନ୍ତି । ସେମାନେ କହୁଛନ୍ତି, ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଦ ପିଇ ଯଦି ୮୦ ବର୍ଷ ହେଲା ମାନସିକ ଓ ଶାରୀରିକ ଭାବେ ସୁସ୍ଥ ଓ କର୍ମଠ ରହିଛନ୍ତି । ପ୍ରଭୁ ଜଗନ୍ନାଥଙ୍କ କରୁଣାରୁ ଆହୁରି ୨୫ ବର୍ଷ ବଂଚି ରହିବେ । ରାଜ୍ୟବାସୀଙ୍କ ପାଣ୍ଠିକୁ ବିଜେଡି ପାଣ୍ଠିରେ ପରିବର୍ତନ କରି ସାଢେ଼ ଚାରିକୋଟି ଜନତାଙ୍କ ପିଠିରେ ଚାଲିଯିବେ ।

ମୁଖ୍ୟମନ୍ତ୍ରୀ ଆସନରେ ବସିବା ମାତ୍ରେ ନବୀନ ପଟ୍ଟନାୟକ ପ୍ରଥମେ ମଦ ନିଗମ ପ୍ରତିଷ୍ଠା କରି ରାଜକୋଷକୁ ଅଧିକ ରାଜସ୍ୱ ଆସିବାର ବାଟ ଫିଟାଇଦେଲେ । ତାଙ୍କ ଭଳି ଆଗାମୀ ଓଡ଼ିଶାର ନିର୍ମାତା ବହୁତ କମ ଲୋକ ଅଛନ୍ତି ।

ଓଡ଼ିଶାର ପାଣି ପବନ ଓ ମାଟି ଗଞ୍ଜେଇ ଚାଷ ପାଇଁ ଅନୁକୂଳ । ଗଞ୍ଜେଇ ଚାଷକୁ କୁଟୀର ଶିଳ୍ପ ମାନ୍ୟତା ଦିଆଗଲେ । ରାଜ୍ୟର ସବୁଜ ବନାନୀରେ ଅଧିକ ପରିମାଣର ଗଞ୍ଜେଇ ଅମଳ ହେବ । ଗରିବ ଲୋକମାନେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରି ଅଧିକ ଟଙ୍କା ରୋଜଗାର କରିପାରିବେ । ବେରୋଜଗାର ଯୁବକ ଯୁବତୀଙ୍କ ପାଇଁ ରୋଜଗାର ବାଟ ଫିଟିଯିବ ।

ଗଞ୍ଜେଇ ଚାଷକୁ କେନ୍ଦ୍ର କରି ଓଡ଼ିଶାକୁ ବଦନାମ କରାଯାଉଛି ବୋଲି ଦୈନିକ ସମ୍ବାଦ ଖବର ପରିବେଷଣ କରୁଛି । ଗଞ୍ଜେଇ ଚାଷକୁ ରାଜ୍ୟର ଜାତୀୟ କୃଷି ମାନ୍ୟତା ଦେଲେ, ସବୁ ବଦନାମରୁ ରାଜ୍ୟକୁ ରକ୍ଷା କରିହେବ ।

କେବଳ ଆନ୍ଧ୍ରପ୍ରଦେଶ କାହିଁକି, ଦେଶର ପ୍ରତିଟି ଅଂଚଳରେ ଓଡ଼ିଶାର ଗଞ୍ଜେଇ ବିକାଯିବ । ରାଜକୋଷକୁ ଅଧିକ ରାଜସ୍ୱ ଆସିବ ।

୨୦୨୩ରେ ଆନ୍ଧ୍ରରେ ଜବତ କରିଥିବା ଗଞ୍ଜେଇର ୮୦ ଭାଗ ଓଡ଼ିଶାର ମାଲକାନଗିରି ଓ କୋରାପୁଟ ଜିଲ୍ଲାର ବୋଲି ଆନ୍ଧ୍ର ପୁଲିସ ଦୃଢ଼ତାର ସହ କହୁଛି । ତା’ର ଅର୍ଥ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଅମଳରେ ସେଠାରେ ଗଞ୍ଜୋଡ଼ିଆଙ୍କ ସଂଖ୍ୟା ଅତି ମାତ୍ରାରେ ବୃଦ୍ଧି ପାଇଛି । ଭଲ କଥା, ଓଡ଼ିଶାର ସାଢେ଼ ଚାରିକୋଟି ଲୋକ ଆନ୍ଧ୍ରପ୍ରଦେଶର ମାଛ, ଅଣ୍ଡା ଓ ପନିପରିବାକୁ ଆଶ୍ରୟ କରୁଛନ୍ତି । ସେହିଭଳି ଆନ୍ଧ୍ରପ୍ରଦେଶର ଲୋକମାନେ ଓଡ଼ିଶାର ଗଞ୍ଜେଇକୁ ଆଦରି ନେଇଛନ୍ତି । ସେଥିରେ ଅସୁବିଧା ରହିଲା କୋଉଠି?