‘ଦୁଇଟି ଟିକେଟ୍‌ ନଦେଲେ ପରିଣାମ ଭଲ ହେବନି’

ନବଦାସଙ୍କର ଏତିକି କଥା ଜୀବନ ନେଇଗଲା!

ଝାରସୁଗୁଡ଼ା: ଆସନ୍ତା ନିର୍ବାଚନ ପାଇଁ ଦଳରୁ ଦୁଇଟି ଟିକେଟ୍‌ ନେବା ପାଇଁ ନବକିଶୋର ଦାସ ହାଇକମାଣ୍ଡଙ୍କ ଉପରେ ଚାପ ପକାଇ ଆସୁଥିଲେ । ବ୍ରଜରାଜନଗର ଉପନିର୍ବାଚନ ସମୟରୁ ତାଙ୍କ ମୁଣ୍ଡରେ ଏ ଭୂତ ଚଢ଼ିଥିଲା । ମାତ୍ର ମହାରାଷ୍ଟ୍ରରୁ ଫେରିବା ପରଠାରୁ ଭୂତଟି ଟିକେ ଅଧିକ ମାତ୍ରାରେ ଦୁଷ୍ଟାମି କରିଥିଲା । ସହିପାରିଲେନି ହାଇକମାଣ୍ଡ । ସଫାସଫା କହିଦେଲେ; ‘ଗୋଟିଏ ଟିକେଟ୍‌ ନେଇ ଶାନ୍ତିରେ ରୁହ; ବେଶି ଫେଚକାମି କରିବ, ସେଇଟା ବି ମିଳିବନି ।’ ‘ଅଲ୍‌ ରାଇଟ୍‌’ କହି ଫେରିଆସିଲେ ନବଦାସ । ତାଙ୍କର ‘ଅଲ୍‌ ରାଇଟ୍‌’ ଜବାବ ଓ ରାଗ ତମତମ ଚାଲିରୁ ହାଇକମାଣ୍ଡଙ୍କ ବିଶ୍ୱସ୍ତ ଭୃତ୍ୟ କିଛି ଗୋଟାଏ ଠଉରାଇ ପାରିଲେ ।

ପଶ୍ଚିମ ଓଡ଼ିଶାରେ ନବଦାସ ନିଜକୁ ଅଦ୍ୱିତୀୟ ନେତା ଭାବୁଥିଲେ । ପ୍ରତ୍ୟେକ ସରକାରୀ ଓ ଦଳୀୟ କାମରେ ନବଦାସଙ୍କୁ ଆଗ ଡକାଯାଉଥିଲା । କଂଗ୍ରେସରୁ ବିଜେଡିକୁ ଡେଇଁଥିଲେ ମଧ୍ୟ ତାଙ୍କୁ ଦଳ ଭିତରେ କେହି ପର ମଣୁ ନଥିଲେ । ମାତ୍ର ବ୍ରଜରାଜନଗର ଅଂଚଳରେ ତାଙ୍କୁ ଗୁଳି ଖାଇ ଜୀବନ ଦେବାକୁ ପଡ଼ିବ ବୋଲି ସେ ସ୍ୱପ୍ନରେ ଭାବୁ ନଥିଲେ ।

ବଡ଼ଭାଇ ନିକଟରେ ଟିକେଟ୍‌ ଦାବି କରିବା କ’ଣ ସାନଭାଇର ଭୁଲ । ନିଜେ ବଂଚି ଥାଉଥାଉ ପିଲାଙ୍କ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଦେଖିବା ବିରାଟ ଭୁଲ! ଏମିତି ତ ବିଜେଡିରେ ପରିବାର ରାଜନୀତିକୁ ପ୍ରୋତ୍ସାହନ ଦିଆଯାଉଛି । ପରିବାର ପାଇଁ ବହୁ ଦକ୍ଷ ନେତାଙ୍କୁ ଟିକେଟ୍‌ ହରାଇବାକୁ ପଡ଼ିଛି । ଖୋଦ ନବୀନବାବୁ ମଧ୍ୟ ପରିବାର ରାଜନୀତି ଗଳି ଦେଇ ଓଡ଼ିଶା ରାଜନୀତିରେ ପ୍ରତିଷ୍ଠିତ ହୋଇଛନ୍ତି । ବିଜୁବାବୁଙ୍କ ପୁଅ ହୋଇ ନଥିଲେ ତାଙ୍କୁ କେହି ପଚାରି ନଥାନ୍ତେ ।
ଅତଏବ ନବଦାସ ଜୀବଦ୍ଦଶାରେ ତାଙ୍କ ପରିବାର ଭିତରୁ ଜଣକୁ ରାଜନୀତିରେ ପ୍ରତିଷ୍ଠିତ କରିବାକୁ ଚାହୁଁଥିଲେ । ମାତ୍ର ବିଧାତା ତାହା କରାଇ ଦେଲାନି । ଘର କଥା ଚିନ୍ତା କରୁକରୁ ହଠାତ୍‌ ଚାଲିଯିବେ, ଭାବି ନଥିଲେ । ଝାରସୁଗୁଡ଼ା ଓକିଲ ସଂଘ କାର୍ଯ୍ୟାଳୟରେ ଏପରି ଏକ ଆଲୋଚନା ସମସ୍ତଙ୍କ ମନରେ ନାନା ସନ୍ଦେହ ସୃଷ୍ଟି କରିଛି ।