ମହାରାଷ୍ଟ୍ର ରାଜନୀତି: ମୁଖ୍ୟମନ୍ତ୍ରୀ ହେବେ ଏକନାଥ!

ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ସରିବା ପରେ ବିଜେପି ନେତୃତ୍ୱାଧୀନ ମେଂଟ ଚିନ୍ତାରେ ପଡ଼ିଯାଇଛି । ୨୮୮ଟି ଆସନ ଭିତରୁ ବିଜେପି ମେଂଟ ୨୩୫ଟି ଆସନ ପାଇଥିଲେ ମଧ୍ୟ ମେଂଟ ଭିତରେ ଥିବା ତିନୋଟି ଦଳର ମୁଖିଆ ରାଜ୍ୟର ମୁଖିଆ ହେବାକୁ କନକନ । ମୁଖ୍ୟମନ୍ତ୍ରୀ ଆସନଟି ଗୋଟିଏ ଥିଲାବେଳେ ତା’ର ଦାବିଦାର ତିନିଜଣ ।

ବିଜେପି ଏକାକୀ ୧୩୨ଟି ଆସନ ଜିତିଥିଲା ବେଳେ ଏକନାଥଙ୍କ ଶିବସେନା ୫୭ଟି ଆସନ ପାଇଛି । ଅଜିତ ପାୱାରଙ୍କ ଏନ୍‌ସିପି ଦଳକୁ ୪୧ଟି ଆସନ ମିଳିଛି । ଏକନାଥ ଓ ଫଡ଼ନାଭିସ୍‌ ଦୁହେଁ ଘନିଷ୍ଠ ବନ୍ଧୁ ହେଲେ କ’ଣ ହେବ, ଜଣେ ଅନ୍ୟ ଜଣକୁ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିଦେବ କି?

ଅଜିତ ପାୱାରଙ୍କ ପାଟିରୁ ଲାଳ ଗଡ଼ିବା ବନ୍ଦ ହେଉନି । ୪୧ଟି ଆସନ ପାଇଲେ ମଧ୍ୟ ଦୁଇଟି ବିଲେଇ କଳିରୁ ମୁଖ୍ୟମନ୍ତ୍ରୀ ହେବାର ମଉକା ମିଳିଯିବ କି? ଏଇ ଆଶାରେ ସେ ଫଡ଼ନାଭିସ୍‌ଙ୍କ ଚାରିପାଖରେ ବୁଲୁଛନ୍ତି ।

ଯାହା ଜଣାଯାଉଛି, ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହ ଯୋଉ ନେତାଙ୍କ ମୁଣ୍ଡରେ ହାତ ରଖିବେ, ସେଇ ନେତାଜଣକ ମୁଖ୍ୟମନ୍ତ୍ରୀ ହେବେ, ଅନ୍ୟ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ତେବେ ଏକନାଥ ସିନ୍ଦେ ଉପ-ମୁଖ୍ୟମନ୍ତ୍ରୀ ପଦକୁ ମୁହଁ ମୋଡ଼ି ଦେଇଛନ୍ତି ।