୯୦ଦିନ ପରେ ବି ଜଣାପଡିଲା ନାହିଁ ନବ ଦାସଙ୍କୁ କିଏ ଆଉ କାହିଁକି ମାରିଲା; ତଦନ୍ତର ଗତି କେଉଁ ଦିଗରେ?

ସିବିଆଇ ତଦନ୍ତ ପାଇଁ କେବେ ସୁପାରିଶ କରିବେ ?

ମାନ୍ୟବର କୋର୍ଟଙ୍କ ବିନାନୁମତିରେ କାଇମବ୍ରାଂଚ କିପରି ଓ କାହିଁକି ନିମ୍‌ହାନ୍ସକୁ ପରୀକ୍ଷା ପାଇଁ ଚିଠି ଲେଖିଲା ?

ଝାରସୁଗୁଡା/ଭୁବନେଶ୍ୱର: ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡକୁ ୯୦ ଦିନ ଅର୍ଥାତ ୩ ମାସ ପୁରିଲାଣି । ହତ୍ୟାକାଣ୍ଡ ସଂପର୍କରେ ରାଜ୍ୟବାସୀ ଅବଗତ ହୋଇପାରିଲେ ନାହିଁ । ହତ୍ୟାକାଣ୍ଡର କାରଣ ଓ ତଦନ୍ତ ପ୍ରସଙ୍ଗରେ ଭଗବାନଙ୍କ ଉପରେ ପୋଲିସ ଡିଜି ଭରସା କରୁଥିବାବେଳେ ବର୍ତମାନ ନବ ବାବୁଙ୍କ ପରିବାର ମଧ୍ୟ ଭଗବାନ ଭରସାରେ ରହିବା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିିଛି । ରାଜ୍ୟର ଆଇନ ବ୍ୟବସ୍ଥା ଉପରେ ଓଡିଶାବାସୀଙ୍କ ଆଉ ଭରସା ନାହିଁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ।

ଆଜି ଝାରସୁଗୁଡାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଘଟଣାର ୯୦ ଦିନ ପରେ ମଧ୍ୟ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚକୁ ହତ୍ୟାକାଣ୍ଡର କାରଣ ସଂପର୍କରେ ଜଣାପଡିଲା ନାହିଁ । ସତ୍ୟାସତ୍ୟର ଉନ୍ମୋଚନ ପାଇଁ ରାଜ୍ୟ ସରକାର ସିବିଆଇ ଦ୍ୱାରା ତଦନ୍ତ ନକରାଇ ଆଜି ବି କ୍ରାଇମବ୍ରାଂଚକୁ ତଦନ୍ତଭାର ଦେଇଛନ୍ତି । ରାଜ୍ୟ ସରକାର ଗୋପାଳକୁ ପାଗଳ ସଜାଇ ତଦନ୍ତକୁ ବାଟବଣା କରିବାର ପ୍ରୟାସ ଜାରୀ ରଖିଛନ୍ତି, ଯାହାକି ଅତ୍ୟନ୍ତ ଚିନ୍ତାଜନକ ।

ଗୋପାଳ ଦାସ ବର୍ତମାନ ନ୍ୟାୟିକ ହେପାଜତରେ ଏବଂ ଜେଲରେ ରହିଛି । ଅତୀତରେ ଗୋପାଳକୁ ପାଗଳ ବୋଲି ପ୍ରମାଣ କରିବାରେ ବିଫଳ ହୋଇଥିବା କ୍ରାଇମବ୍ରାଂଚ ବର୍ତମାନ ସମସ୍ତ ଆଇନକାନୁନ ଓ ନୀତିନିୟମକୁ ଜଳାଞ୍ଜଳୀ ଦେଇ ଗୋପାଳର ମାନସିକ ପରୀକ୍ଷା ପାଇଁ ମାନ୍ୟବର କୋର୍ଟଙ୍କ ବିନାନୁମତିିରେ ସିଧାସଳଖ ବାଙ୍ଗାଲୋର ସ୍ଥିତ ନିମ୍‌ହାନ୍ସକୁ ଚିଠି ଲେଖିଛନ୍ତି । ଏହା ଦ୍ୱାରା କ୍ରାଇମବ୍ରାଂଚ କିମ୍ବା ରାଜ୍ୟ ସରକାରଙ୍କ ମାନ୍ୟବର ନ୍ୟାୟାଳୟଙ୍କ ପ୍ରତି ଆଦୈା ସମ୍ମାନ ନଥିବାର ସ୍ପଷ୍ଟ ହେଉଛି ଏବଂ ଯେଣତେଣ ଭାବେ ଗୋପାଳ ଦାସକୁ ପାଗଳର ଆଖ୍ୟା ଦେବା କାର୍ଯ୍ୟରେ ରାଜ୍ୟ ସରକାର ଲାଗିପଡିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଗତ ମାର୍ଚ୍ଚ ମାସ ସଂସ୍କରଣ ଇଣ୍ଡିଆ ଟୁଡେ ପତ୍ରିକାରେ ପ୍ରକାଶ ପାଇଥିବା ‘ମର୍ଡର ଆଣ୍ଡ ଦି ଫାର୍ଷ୍ଟ ଫ୍ୟାମିଲି’ ଶୀର୍ଷକ ଲେଖାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ବର୍ତମାନର ମୁଖ୍ୟମନ୍ତ୍ରୀ ୱାଇ.ଏସ.ଜଗନ ମୋହନ ରେଡ୍ଡିଙ୍କ କାକା ସ୍ୱର୍ଗତଃ ୱାଇ.ଏସ. ବିବେକାନନ୍ଦଙ୍କ ଝିଅ ସୁନୀତା ନିଜ ବାପାଙ୍କ ସନ୍ଦେହଜନକ ମୃତ୍ୟୁର ଖୁଲାସା କରିବା ପାଇଁ ତାଙ୍କ ଦଳର ଅତ୍ୟନ୍ତ ଲୋଭନୀୟ ଅଫର୍‌କୁ ପ୍ରତ୍ୟାଖାନ କରି ଶେଷରେ ପ୍ରକୃତ ସତ୍ୟାସତ୍ୟକୁ ସାମ୍ନାକୁ ଆଣିବା ପାଇଁ ଯେଉଁ ଧର୍ଯ୍ୟ ଓ ସାହସର ପରିଚୟ ପ୍ରଦାନ କରିଥିଲେ, ତାହା ସମସ୍ତଙ୍କୁ ଆଚମ୍ବିତ କରିଥିଲା ଏବଂ ନବ ବାବୁଙ୍କ ପରିବାର ବିଶେଷ କରି ତାଙ୍କ ଝିଅ ମଧ୍ୟ ସୁନୀତାଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ସ୍ୱର୍ଗତଃ ନବବାବୁଙ୍କୁ ଶେଷ୍ଠ ଶ୍ରଦ୍ଧାଞ୍ଜଳୀ ଦିଅନ୍ତୁ । କେବଳ ଭଗବାନଙ୍କ ଭରସାରେ ନରହି ନବ ବାବୁଙ୍କ ପରିବାର ଓ ଝିଅ ତଦନ୍ତ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସାହସର ସହିତ ପଚାରିବା ଉଚିତ୍ । ନଚେତ୍ ସିବିଆଇ ତଦନ୍ତ ପାଇଁ ମାନ୍ୟବର ହାଇକୋର୍ଟ ଯାଆନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ନିର୍ବାଚନ ପ୍ରଚାରରେ ଆସି ଝାରସୁଗୁଡାର ଦାୟୀତ୍ୱ ନେବେ ବୋଲି ଘୋଷଣା କରିବା ପୂର୍ବରୁ ବିଜୁ ଜନତା ଦଳର ସଭାପତି ଭାବେ ମୁଖ୍ୟମନ୍ତ୍ରୀ କିଛି ପ୍ରଶ୍ନର ଜବାବ୍ ରଖିବା ଉଚିତ୍ । ୯୦ଦିନ ପରେ ବି ନବ ଦାସଙ୍କୁ କିଏ ଆଉ କାହିଁକି ମାରିଲା ତାହା ଜଣାପଡିଲା ନାହିଁ ? ନିଜ କ୍ୟାବିନେଟର ମୁଖ୍ୟ ସହଯୋଗୀ ଥିବା ଜଣେ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ସମଗ୍ର ଜିଲ୍ଲା ତଥା ରାଜ୍ୟବାସୀଙ୍କୁ କ’ଣ ଓ କିପରି ସୁରକ୍ଷା ଦେବେ ? ମାନ୍ୟବର କୋର୍ଟଙ୍କ ବିନାନୁମତିରେ କାଇମବ୍ରାଂଚ କିପରି ଓ କାହିଁକି ନିମ୍‌ହାନ୍ସକୁ ପରୀକ୍ଷା ପାଇଁ ଚିଠି ଲେଖିଲେ ।? ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ? କୁଆଡେ ଗଲା ଆମେରିକାର ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇର ତଦନ୍ତ? ସିବିଆଇ ତଦନ୍ତ ପାଇଁ କେବେ ସୁପାରିଶ କରିବେ ?

ନବ ଦାସଙ୍କ ହତ୍ୟାକାରୀକୁ ପାଗଳ ସଜାଇବା ପାଇଁ ରାଜ୍ୟ ସରକାରଙ୍କ ବ୍ୟଗ୍ରତା କ’ଣ ପାଇଁ, ତାହା ଝାରସୁଗୁଡାବାସୀ ବିଚାର କରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏବଂ ଅନ୍ୟତମ ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।