ପୋଲିସ ଓ ପ୍ରଶାସନ ସାଜିଛି ବିଜେଡିର ହାତବାରିସୀ: ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର

ଢେଙ୍କାନାଳ ପୈାରଧ୍ୟକ୍ଷାଙ୍କ ଉପରେ ଆକ୍ରମଣ ପ୍ରସଙ୍ଗରେ

> ପୋଲିସ ଓ ପ୍ରଶାସନର ସହାୟତାରେ ଶାସକ ବିଜେଡି ଗୁଣ୍ଡାମାନେ ବିଜେପିକର୍ମୀଙ୍କୁ ଆକ୍ରମଣ ଜାରୀ ରଖିଛନ୍ତି
> ଢେଙ୍କାନାଳ ପୈାର ପରିଷଦର ନବନିର୍ବାଚିତ ଅଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଉପରେ ଦୁଇ ଦୁଇ ଥର ଆକ୍ରମଣ ଘଟଣା ପୁଣି ଥରେ ପ୍ରମାଣିତ ହୋଇଛି
> ବରିଷ୍ଠ ପୋଲିସ ଅଧିକାରୀମାନେ ବିଜେଡି ରାଜ୍ୟ ସଭାପତିଙ୍କୁ ଭେଟି ନିର୍ବାଚନ ବିଜୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ଘଟଣା ନିଶ୍ଚିତ ଭାବେ ଶାସକ ବିଜେଡିର ଗୁଣ୍ଡାମାନଙ୍କୁ ନିର୍ଭୟରେ ଏଭଳି ହୀନ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଛି
> ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ନିର୍ବାଚିତ ପ୍ରତିନିଧିମାନଙ୍କୁ ସଂପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯାଉ
> ଗତ କାଲି ଢେଙ୍କାନାଳ ଗସ୍ତ କରି ବାସ୍ତବସ୍ଥିତି ଅନୁଧ୍ୟାନ କରିଥିଲେ ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର: ରାଜନୈତିକ ହିଂସାପରାୟଣ ହୋଇ ଶାସକ ବିଜୁ ଜନତା ଦଳ ବିରୋଧୀ ବିଜେପି ନେତା ଓ କାର୍ଯ୍ୟକର୍ତାଙ୍କୁ ଆକ୍ରମଣ କରୁଛି । ଏପରିକି ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଛାଉନାହିଁ । ନିର୍ବାଚନ ପୂର୍ବରୁ, ନିର୍ବାଚନ ସମୟରେ ବିଜେପି କାର୍ଯ୍ୟକର୍ତାଙ୍କୁ ଭୟଭୀତ କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିବା ଶାସକ ବିଜେଡି ନିର୍ବାଚନ ପରବର୍ତୀ ସମୟରେ ମଧ୍ୟ ରାଜନୈତିକ ହିଂସା ମନୋଭାବକୁ ଆହୁରି ଅଧିକ କ୍ରିୟାଶୀଳ କରିଛି । ଶାସକ ବିଜେଡିର ହାତବାରିସୀ ସାଜିଥିବା ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ସମସ୍ତ ଘଟଣା ସଂପର୍କରେ ଅବଗତ ଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଏହି କାରଣରୁ ବିଜେଡି ଗୁଣ୍ଡାମାନେ ନିର୍ଭୟରେ ଆଇନକୁ ହାତକୁ ନେଇ ବିଜେପି ନେତା ଓ କର୍ମୀମାନଙ୍କ ଉପରେ ଆକ୍ରମଣ ଜାରୀ ରଖିଛି । ଏହାର ସଦ୍ୟ ଉଦାହରଣ ଢେଙ୍କାନାଳ ପୈାର ପରିଷଦର ନବନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ରଙ୍କ ଉପରେ ଦୁଇ ଦୁଇ ଥର ଆକ୍ରମଣରୁ ପୁଣି ଥରେ ପ୍ରମାଣିତ ହୋଇଛି ବୋଲି ବିଧାୟକ ତଥା ରାଜ୍ୟ ଉପସଭାପତି ଶ୍ରୀ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି ।

ଗତ କାଲି ଢେଙ୍କାନାଳ ଗସ୍ତ କରି ବାସ୍ତବସ୍ଥିତି ଅନୁଧ୍ୟାନ କରିଥିବା ପ୍ରତିନିଧି ଦଳର ସଦସ୍ୟ ତଥା ବିଧାୟକ ଶ୍ରୀ ମହାପାତ୍ର ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନିର୍ବାଚିତ ଜନପ୍ରତିନିଧି ତଥା ଢେଙ୍କାନାଳ ପୈାରଧ୍ୟକ୍ଷା ଶ୍ରୀମତୀ ପାତ୍ରଙ୍କ ଉପରକୁ ଆକ୍ରମଣ କରାଯିବା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜଦାୟକ । ଗୋଟିଏ ପଟେ ରାଜ୍ୟ ସରକାର ନାରୀ ସଶକ୍ତିକରଣର ବାହାସ୍ପୋଟ ମାରୁଥିବାବେଳେ ଅନ୍ୟ ପଟେ ରାଜନୈତିକ ଆକ୍ରୋଶ ରଖି ମହିଳାମାନଙ୍କୁ ଆକ୍ରମଣ କରିବା ଶାସକ ବିଜେଡିର ଦୋମୁହାଁ ଚରିତ୍ରକୁ ପର୍ଦ୍ଦାଫାଶ କରିଛି ।

ଓଡିଶାର ମହିଳାମାନେ କେତେ ସୁରକ୍ଷିତ, ତାହା ଶ୍ରୀମତୀ ପାତ୍ରଙ୍କ ଉପରେ ବାରମ୍ବାର ଆକ୍ରମଣରୁ ସ୍ପଷ୍ଟ ହୋଇଛି । ବରିଷ୍ଠ ପୋଲିସ ଅଧିକାରୀମାନେ ବିଜେଡି ରାଜ୍ୟ ସଭାପତିଙ୍କୁ ଭେଟି ନିର୍ବାଚନ ବିଜୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ଘଟଣା ନିଶ୍ଚିତ ଭାବେ ଶାସକ ବିଜେଡିର ଗୁଣ୍ଡାମାନଙ୍କୁ ନିର୍ଭୟରେ ଏଭଳି ହୀନ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଛି ।ବିଜେପି କାର୍ଯ୍ୟକର୍ତାଙ୍କୁ ଧମକ ଦେଇ ଭୟଭୀତ କରିବା, ମିଛ ପୋଲିସ କେସ୍‌ରେ ଫସାଇବା, ମରଣାନ୍ତକ ଆକ୍ରମଣ କରିବା ଆଦି ଘଟଣା ଶାସକ ବିଜେଡିର ଅସହିଷ୍ଣୁତାର ପରିଚୟ ଦେଇଛି ଏବଂ ଏହା ସୁସ୍ଥ ଗଣତନ୍ତ୍ର ପ୍ରତି ସଂପୂର୍ଣ୍ଣ ବିପଦ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ବୋମାମାଡ କରି କଣ ବାର୍ତା ଦେବାକୁ ଚାହୁଁଛି ଶାସକ ବିଜେଡି ? ଯଦି ଓଡିଶାରେ ମହିଳା ସୁରକ୍ଷିତ ଓ ମହିଳା ସଶକ୍ତିକରଣ ସଠିକ ହୋଇଛି, ତାହେଲେ ଶ୍ରୀମତୀ ପାତ୍ରକୁ ସୁରକ୍ଷା କାହିଁକି ଦେଇପାରୁନାହିଁ ଜିଲ୍ଲା ପ୍ରଶାସନ ? କେବଳ ଢେଙ୍କାନାଳ ପୈାରଧ୍ୟକ୍ଷା ନୁହନ୍ତି, ବରଂ କାଉନସିଲର ଭାବେ ନିର୍ବାଚିତ ହୋଇଥିବା ମହିଳା ଏବଂ ତାଙ୍କ ପରିବାରକୁ ମଧ୍ୟ ଭୟଭୀତ କରାଯାଉଛି । ଜନପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବା ଶ୍ରୀମତୀଙ୍କ ଉପରେ ଆକ୍ରମଣ କରିଥିବା ସମସ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତାଙ୍କୁ ସଂପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବାକୁ ପ୍ରତିନିଧି ଦଳର ଅନ୍ୟତମ ସଦସ୍ୟା ତଥା ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି ।

ଆଜିର ସାମ୍ବାଦିକ ସମ୍ମିଳନୀରେପ୍ରତିନିଧି ଦଳର ଅନ୍ୟତମ ସଦସ୍ୟା ତଥା ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ ଏବଂ ରାଜ୍ୟ ଗଣାମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ୍‌ ପ୍ରମୁଖ ଉପସ୍ଥିତ ଥିଲେ ।