‘ମୋଦୀ ହଟାଓ, ଦେଶ ବଚାଓ’

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆପ୍‌ ଅଭିଯାନ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ‘ମୋଦୀ ହଟାଓ, ଦେଶ ବଚାଓ’ ପୋଷ୍ଟର ଲଗାଯିବା ଘଟଣାକୁ କେନ୍ଦ୍ର କରି ମାମଲା ରୁଜୁ କରି ପୁଲିସ ୬ ଜଣଙ୍କୁ ଗିରଫ କରିଛି । ଏହାକୁ ଆଧାର କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରତିକ୍ରିୟାରେ କହିଛନ୍ତି ଯେ ପୋଷ୍ଟର ଲଗାଯିବା ଘଟଣାକୁ ନେଇ ଇଂରେଜ ସରକାର ମଧ୍ୟ କାହା ନାମରେ ମାମଲା ରୁଜୁ କରି ନଥିଲେ କି କାହାକୁ ଗିରଫ କରି ନଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉଦାର ହୃଦୟର ପ୍ରମାଣ ଦେବାକୁ ପଡ଼ିବ । ଯୋଉ ଲୋକମାନଙ୍କୁ ଗିରଫ କରାଯାଇଛି, ସେମାନଙ୍କୁ ତୁରନ୍ତ ଛାଡ଼ି ଦିଆଯିବା ଦରକାର । ସ୍ୱାଧୀନତା ସଂଗ୍ରାମୀମାନେ ଇଂରେଜ ସରକାରଙ୍କ ବିରୋଧରେ ବହୁ ପୋଷ୍ଟର ଲଗାଇଥିଲେ । ଦେଶରେ ମହିଳାଙ୍କ ପ୍ରତି ଅତ୍ୟାଚାର ମାମଲା ରୁଜୁ କରିବା ବଡ଼ ଜଟିଳ ବ୍ୟାପାର । ମାତ୍ର ପୋଷ୍ଟର ଲଗାଇବା ଘଟଣାରେ ୨୪ ଘଂଟା ଭିତରେ ୧୩୮ଟି ମାମଲା ରୁଜୁ ହୋଇଗଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଣ୍ଡ ଠିକ ଅଛି ତ? ଅନ୍ୟ ଦଳର ଭ୍ରଷ୍ଟାଚାରକୁ ବିଜେପି ବରଦାସ୍ତ କରିପାରୁନି । ବିଜେପି କହିବା କଥା, ଯେଉଁମାନେ କିଛି ଗଡ଼ବଡ଼ କରୁଛନ୍ତି ସେମାନେ ବିଜେପି ଭିତରେ ରହି କରନ୍ତୁ ।

୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀର ଜନ୍ତର ମନ୍ତର ମଇଦାନରୁ ଆପ୍‌ ଆରମ୍ଭ କରିଛି ‘ମୋଦୀ ହଟାଓ, ଦେଶ ବଚାଓ’ ଅଭିଯାନ । ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସମେତ ବହୁ ଆପ୍‌ ନେତାମଣ୍ଡଳୀ ।