ବିଜେଡି ସପକ୍ଷରେ ପ୍ରଚାର କରିବ ଆରପିଡି

ଭୁବନେଶ୍ୱର: ବିଲେଇକୁ ଶୁଖୁଆ ଜଗିବା ଦାୟିତ୍ୱ ଦେଲେ ଯୋଉ ପରିଣାମ ଦେଖିବାକୁ ମିଳିବ; ଟାଉଟର ଧୋକାବାଜ ଧୂର୍ତ ଲୋକଙ୍କ ହାତରେ ଶାସନ ପରିଚାଳନା ଦାୟିତ୍ୱ ଅର୍ପଣ କରିବାର ପରିଣାମ ପ୍ରାୟତଃ ସେଇଆ ବୋଲି ରାଷ୍ଟ୍ରୀୟ ପରିବର୍ତନ ଦଳ (ଆରପିଡି) ରାଜ୍ୟ ସଭାପତି ଆଚାର୍ଯ୍ୟ ଧର୍ମରାଜ କହିଛନ୍ତି ।

ଲୋକସଭା ଓ ବିଧାନସଭା ନିର୍ବାଚନ ସଂକ୍ରାନ୍ତ ବୈଠକର ଆୟୋଜନ କରାଯାଇଥିଲା । ନବ ନିଯୁକ୍ତ ସଭାପତି ଆଚାର୍ଯ୍ୟ ଧର୍ମରାଜ ଉକ୍ତ ବୈଠକର ଅଧ୍ୟକ୍ଷତା କରି ଦଳୀୟ ରଣନୀତି ସଂପର୍କରେ ଦଳର ବରିଷ୍ଠ କର୍ମୀଙ୍କ ନିକଟରୁ ପରାମର୍ଶ ଲୋଡ଼ିଥିଲେ ।

କର୍ମୀମାନେ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ମତାମତ ପ୍ରଦାନ କରିଥିଲେ । ମାତ୍ର କ୍ଷମତାସୀନ ଦଳ ବିଜେପି, କଂଗ୍ରେସ ଓ ବିଜେଡି ଭଳି ଦଳଗୁଡ଼ିକ ନିକଟରେ ପ୍ରଚୁର କଳାଟଙ୍କା ଗଚ୍ଛିତ ରହିଛି । ସେମାନଙ୍କ କଳାଟଙ୍କା ସୁଅରେ ଆମମାନଙ୍କ ପରିଶ୍ରମ ଅର୍ଜିତ ଧଳାଟଙ୍କା କୁଆଡେ଼ ହଜିଯିବ ତା’ର ଥଳକୂଳ ମିଳିବନି ।

ବ୍ୟୟବହୁଳ ନିର୍ବାଚନରେ ଅଂଶଗ୍ରହଣ କରିବା ବୁଦ୍ଧିମାନର କାମ ହେବନି । କ୍ଷମତାସୀନ ବିଜେଡି ଅଥବା ବିଜେପି ସହିତ ସାଲିସ କରିବା ଛଡ଼ା ଆରପିଡି ନିକଟରେ ବିକଳ୍ପ କିଛି ନାହିଁ ।

କୋଉ ଦଳ ସହିତ ହାତ ମିଳାଇବା ଉଚିତ ହେବ ବୋଲି ଆରପିଡି ଉପସଭାପତି ସୀତାରାମ ବେହେରାଙ୍କ ପ୍ରଶ୍ନର ଜବାବରେ ଆଚାର୍ଯ୍ୟ ଧର୍ମରାଜ ବିଜେଡିକୁ ପସନ୍ଦ କରି କହିଛନ୍ତି ଯେ ଚଣ୍ଡିଖୋଲ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁହଁରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂୟସୀ ପ୍ରଶଂସା ଶୁଣିବା ପରେ ରାଜ୍ୟ କ୍ଷମତାରେ ବିଜେପିକୁ ବସାଇବା ଆଦୌ ଉଚିତ ହେବନି ।

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟ ସରକାରଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଥିଲେ । ବେଶ କିଛି ସମୟ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିୟାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ ।

ଉଭୟ ନେତା ଯେତେବେଳେ ରାଜ୍ୟର ବିଜେଡି ଶାସନକୁ ତାରିଫ କରୁଛନ୍ତି; ସେତେବେଳେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ପ୍ରସଙ୍ଗ ଉଠାଇବା ଅନାବଶ୍ୟକ ।

ରାଜ୍ୟସଭାକୁ ଅଶ୍ୱିନୀ ବୈଷ୍ଣବଙ୍କୁ ପଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ସହିତ ତାଙ୍କର ଘନିଷ୍ଠ ସଂପର୍କକୁ ପ୍ରମାଣିତ କରିଛନ୍ତି । ଏକା ବିଜେଡି ରାଜ୍ୟବାସୀଙ୍କୁ ଡବଲ ଇଞ୍ଜିନ ସରକାର ଫାଇଦା ଦେବାକୁ ଯୋଗ୍ୟ । ବିଜେପିର କେନ୍ଦ୍ର ନେତାମାନେ ନବୀନଙ୍କୁ ମୁଣ୍ଡରେ ବସାଇବା ଅର୍ଥ ରାଜ୍ୟ ବିଜେପି ନେତାଗଣ ଜମାରୁ ଭିଡ଼କୁ ନୁହନ୍ତି ।

ସବୁ ଦିଗରୁ ବିଚାର କରି ଆରପିଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବାକୁ ନିଷ୍ପତି ନେଇଛି ।