ପରଲୋକରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଓ ଓଡ଼ିଶା ରାଜନୀତିର ମହାଦ୍ରୁମ ତଥା ବାକ୍ୟ ବାଣ ଭାବେ ପରିଚିତ ଡାକ୍ତର ଦାମୋଦର ରାଉତ ୮୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି। ଆଜି ଭୋର ୫ଟା ୨୩ ମିନିଟରେ ଏହି ବର୍ଷୀୟାନ ନେତାଙ୍କ ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଦୀର୍ଘ ଦିନ ଧରି କିଡନୀଜନିତ ସମସ୍ୟା ସହ ଜୁଝୁଥିବା ଦାମୋଦର ରାଉତ ଗତ ୧୮ ତାରିଖ ବିଳମ୍ବିତ ରାତିରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ଅକ୍ସିଜେନ୍ ସାଚୁରେସନ କମିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ସେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ।

ଘରୋଇ ହସ୍ପିଟାଲକୁ ନେବା ଭିତରେ ବ୍ରେନକୁ ବ୍ଲଡ ଓ ଅକ୍ସିଜେନ୍ ସପ୍ଲାଇ କମିଯାଇଥିଲା ବୋଲି କହିଛନ୍ତି ଦାମ ରାଉତଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ। ଘରୋଇ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ସିପିଆର୍ ଦିଆଯାଇଥିଲା ଏବଂ ହାର୍ଟ କାର୍ଯ୍ୟକ୍ଷମ ହୋଇଥିଲା। ତେବେ ମସ୍ତିଷ୍କରେ ଗୁରୁତର କ୍ଷତି ହୋଇଥିବାରୁ ସେ ପ୍ରାୟତଃ ବ୍ରେନଡେଡ୍ ସ୍ଥିତିରେ ବୋଲି କହିଥିଲେ ପୁଅ ସମ୍ବିତ ।

ଦାମଙ୍କ ଚିକିତ୍ସା ନିମନ୍ତେ ଡାକ୍ତରୀ ଟିମ୍‌ ନିୟୋଜିତ ହୋଇଥିଲେ। ମାତ୍ର ଶତଚେଷ୍ଟା ସତ୍ତ୍ୱେ ସେ ଆଜି ଭୋରରୁ ଆଖି ବୁଜିଥିବା ଜଣାଯାଇଛି।

ଦାମଙ୍କ ବିୟୋଗରେ ବିଶିଷ୍ଠ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି କହିଛନ୍ତି ଯେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଓଡ଼ିଶା ରାଜନୀତିରେ ଏହା ଏକ ଅପୂରଣୀୟ କ୍ଷତି । ଲୋକଙ୍କ ସେବା ତଥା ଉନ୍ନତି ପାଇଁ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଉଛି ।

ସେହିପରି, ଦାମ ରାଉତଙ୍କ ବିୟୋଗ ଖବର ପ୍ରଚାରିତ ହେବା କ୍ଷଣି ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଦାମଙ୍କ ବିୟୋଗରେ ରାଜ୍ୟ ଜଣେ ଦକ୍ଷ ରାଜନେତାଙ୍କୁ ହରାଇଲା ବୋଲି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି।

ଭୁବନେଶ୍ୱର ସ୍ଥିତ ଦାମଙ୍କ ବାସଭବନରେ ସବୁ ରାଜନୈତିକ ଦଳର ନେତାମାନେ ଶେଷ ଦର୍ଶନ କରିଛନ୍ତି । ଓଡ଼ିଶା ରାଜନୀତିରେ ସେ ୭ ଥର ବିଧାୟକ ଓ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

ସୂଚନାଅନୁଯାଇ, ଦାମଙ୍କମ ମରଶରୀରକୁ ଆଜି ପ୍ରଥମେ ୟୁନିଟ ୬ସ୍ଥିତ ସରକାରୀ ବାସଭବନକୁ ଯିବ । ଏହାପରେ ତାଙ୍କୁ ବିଜେଡି କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ପାର୍ଟି କାର୍ଯ୍ୟକର୍ତ୍ତା ଦାମଙ୍କ ଶେଷ ଦର୍ଶନ କରିବେ। ଏହାପରେ ମରଶରୀରକୁ ବିଧାନସଭାକୁ ନିଆଯିବ । ସେଠାରେ ବିଧାୟକମାନେ ତାଙ୍କ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିବେ।

ସେଠାରୁ ଦାମଙ୍କ ମରଶରୀରକୁ ପାରାଦୀପ ନିର୍ବାଚନ ମଣ୍ଡଳୀକୁ ନିଆଯିବ । ଏହାପରେ ରାତିରେ ପୁରୀରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।