ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ

ନୂଆଦିଲ୍ଲୀ: ଗିରଫ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ସୁରକ୍ଷା ଦେବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେବାର କିଛି ଘଣ୍ଟା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଏକ ଟିମ୍ ତାଙ୍କ ସରକାରୀ ବାସଭବନରେ ପଶିଥିଲା । ତାଙ୍କୁ ୨ ଘଣ୍ଟା ଧରି ପଚରାଉଚୁରା ପରେ ଗିରଫ କରାଯାଇଛି । ଗିରଫ ପରେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ୍ ନିଆଯାଇଛି । ରାତିରେ ତାଙ୍କୁ ନିଜ ହେପାଜତରେ ରଖିବା ପରେ ଆସନ୍ତାକାଲି କୋର୍ଟରେ ହାଜର କରିବ ଇଡି । ସେପଟେ ଏହି ଗିରଫଦାରି ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ରାତିଅଧରେ ଏହାର ଶୁଣାଣି ହୋଇପାରେ ।
ନିର୍ବାଚନର କିଛି ଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଥିବାରୁ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଆମ୍ ଆଦମୀ ପାର୍ଟି କର୍ମୀମାନେ କେଜ୍ରିୱାଲଙ୍କ ବାସଭବନ ଆଗରେ ଗିରଫଦାରିର ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି । ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।
କେଜ୍ରିୱାଲଙ୍କ ଗିରଫ ପୂର୍ବରୁ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ଶିସୋଦିଆ, ଆପ୍ ମୁଖପାତ୍ର ସଞ୍ଜୟ ସିଂହ ଏବଂ କେସିଆରଙ୍କ ଝିଅ କେ. କବିତାଙ୍କୁ ଗିରଫ କରିଥିଲା ଇଡି । ସେପଟେ ଖଣି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରାଯାଇଥିଲା । ଏମାନେ ସମସ୍ତେ ଏବେ ଜେଲ୍ ରେ ଅଛନ୍ତି । କେଜ୍ରିୱାଲଙ୍କୁ ଏହି ମାମଲାରେ ଇଡିରେ ହାଜର ହେବା ପାଇଁ ୯ ଥର ସମନ୍ କରାଯାଇଥିଲା । ମାର୍ଚ୍ଚ ୨୧ ତାରିଖରେ ହାଜର ପାଇଁ ଗତ ରବିବାର ଦିନ ତାଙ୍କୁ ଫ୍ରେସ୍ ସମନ୍ କରିଥିଲା ଇଡି । ମାତ୍ର ଗିରଫଦାରି ଏଡ଼ାଇବା ପାଇଁ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟର ସୁରକ୍ଷା ମାଗିଥିଲେ । ମାତ୍ର ହାଇକୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ପାଇଁ ମନା କରିବାର କିଛି ସମୟ ପରେ ଇଡିର ଏକ ଟିମ୍ ସିଧା ତାଙ୍କ ଘରେ ପଶିଥିଲା । ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି ।
ଇଡିକୁ ଅସ୍ତ୍ରକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହା ଦମନମୂଳକ କାର୍ଯ୍ୟ ବୋଲି ଆପ୍ ସମେତ ବିରୋଧୀ ଦଳର ନେତାମାନେ ଅଭିଯୋଗ କରିଛନ୍ତି । ଏହା ଗଣତନ୍ତ୍ରର ହତ୍ୟା ବୋଲି ସେମାନେ କହିଛନ୍ତି । ତେବେ ବିରୋଧୀ ଦଳର ଅଭିଯୋଗକୁ ଖଣ୍ଡନ କରିଛି ବିଜେପି ।