କେନ୍ଦୁଝର ଜିଲ୍ଲା ଖଲଣା ଗ୍ରାମରେ ଦିନ ଦ୍ୱିପ୍ରହରରେ ହଣାକଟା ଓ ଗୁଳିମାଡ

ଅଭିଯୁକ୍ତ ତାଲିକାରେ ପୂର୍ବତନ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ନାମ ଥିବାରୁ ପୋଲିସ ନୀରବ…

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ, ଏଥିରେ ତିଳେ ହେଲେ ସଂଦେହ ନାହିଁ । ଅଧିକାଂଶ କ୍ଷେତ୍ରରେ ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଆଇନଶୃଙ୍ଖଳା ପରିସ୍ଥିତିକୁ ଆହୁରି ଜଟିଳ କରିଛି । ଗତ ୧୪ ତାରିଖ ଦିନ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀର ଖଲଣା ଗ୍ରାମରେ ଦିନ ଦ୍ୱିପ୍ରହରରେ ଘଟିଯାଇଥିବା ହଣାକଟା ଓ ଗୁଳିମାଡ ଏହାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।

ଏହି ଘଟଣାରେ ପ୍ରାଣ ହରାଇଥିବା ନୃତକ ସୁନନ୍ଦ ସେଠୀଙ୍କ ଭାଇ ମନ୍ନଥ ସେଠୀଙ୍କ ରାମଚନ୍ଦ୍ରପୁର ଥାନାରେ କରିଥିବା ଅଭିଯୋଗରେ ଅଭିଯୁକ୍ତମାନଙ୍କ ନାମ ଦର୍ଶାଇଥିଲେ ସୁଦ୍ଧା ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଅଭିଯୁକ୍ତ ତାଲିକାରେ ପୂର୍ବତନ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ନାମ ଥିବାରୁ ପୋଲିସ ଜାଣିଶୁଣି ନୀରବ ରହିଛି । ଘଟଣା ଘଟିବାର ୬ ଦିନ ବିତିଯାଇଥିଲେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତମାନେ ବାହାରେ ବୁଲୁଛନ୍ତି । ପୋଲିସ ପ୍ରଶାସନରେ ଶାସକ ଦଳ ଆରାଜକତା ସୃଷ୍ଟି କରୁଛି । ଏଭଳି ସମ୍ବେଦନଶୀଳ ଘଟଣାର ସତ୍ୟାସତ୍ୟ ଜାଣଣିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏକ ପ୍ରତିନିଧି ଦଳ ଆଜି ଖଲଣା ଗ୍ରାମ ଗସ୍ତ କରିଛନ୍ତି ।

ପୂର୍ବତନ ସାଂସଦ ତଥା ବିଜେପି ଅନୁସୁଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବିଭୁ ପ୍ରସାଦ ତରାଇଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ମୃତକଙ୍କ ପରିବାର ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବେ । ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ତଥା ବିଧାୟକ ନାଉରୀ ନାଏକ, ବିଧାୟକ ସନାତନ ବିଜୁଳି ଏବଂ ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା, ମୋର୍ଚ୍ଚା ସାଧାରଣ ସଂପାଦକ ରାଘବ ମଲ୍ଲିକ ପ୍ରମୁଖ ସାମିଲ ଅଛନ୍ତି । ଗସ୍ତରୁ ଫେରି ଘଟଣା ସଂପର୍କରେ ଏକ ରିପୋର୍ଟ ରାଜ୍ୟ ସଭାପତିଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ପଣ୍ଡା ସୁଚନା ଦେଇଛନ୍ତି ।