ଧାର୍ମିକ ଶୋଭାଯାତ୍ରାରେ ଚାଲିଗଲା ୨ ଜୀବନ

ରାଜସ୍ଥାନ: ରାଜସ୍ଥାନର ଦେଗଣା ଅଂଚଳରେ ଭୟଙ୍କର ଦୁର୍ଘଟଣା ଘଟିଛି । ଧାର୍ମିକ ଶୋଭାଯାତ୍ରାରେ ସାମିଲ ଗାଡ଼ିଟି ହଠାତ୍‌ ଲୋକଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ୨ ଜଣ ପ୍ରାଣ ହରାଇଛନ୍ତି ଓ ଅନେକ ଲୋକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗୁରୁତର ଆହତଙ୍କୁ ଆଜମେର ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ସାମାନ୍ୟ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି ।

ସୂଚନାରୁ ଜଣାଯାଇଛି, ଧାର୍ମିକ ଶୋଭାଯାତ୍ରାରେ ସାମିଲ ଗାଡ଼ିଟିର ବେଶ ଧିମାଗତିରେ ଯାଉଥିବା ସମୟରେ ହଠାତ୍‌ ସାମ୍ନାରେ ଚାଲିଚାଲି ଯାଉଥିବା ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା । ଆଖି ପିଛୁଳାକେ ଧାର୍ମିକ ଶୋଭାଯାତ୍ରାଟି ତାଜାରକ୍ତରେ ଲାଲ ହୋଇଗଲା । ଲୋକମାନେ ଯେ ଯୁଆଡ଼କୁ ପାରିଲେ ଜୀବନ ବିକଳରେ ଧାଇଁ ପଳାଇଲେ । କିଛି ଲୋକ ଗାଡ଼ି ତଳେ ରହିଗଲେ । କିଛି ଲୋକ ଖଣ୍ଡିଆ ଖାବରା ହୋଇ ରାସ୍ତା ଉପରେ ପଡ଼ିଥିଲେ ।

ଘଟଣା କ’ଣ ବୁଝିଲା ବେଳକୁ ଚାଳକ ଜଣକ ହୃଦଘାତର ଶିକାର ହୋଇ ଷ୍ଟିୟରିଂ ଉପରକୁ ଢଳି ପଡ଼ିଥିଲେ । କ୍ଲଚ୍‌ ଉପରେ ଅଧିକ ଚାପ ପଡ଼ିଯିବାରୁ ଲୋକଙ୍କ ଉପରକୁ ମାଡ଼ିଗଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ପ୍ରାଥମିକ ଅନୁସନ୍ଧାନ କରୁଛି ।