ଠିକାଦାର ଓ ସରକାରୀ ବାବୁଙ୍କୁ ସୁହାଇଛି ମୁକ୍ତା ଯୋଜନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ଆରମ୍ଭ କରାଯାଇଥିବା ମାଳ ମାଳ ଯୋଜନା ଭିତରୁ ମୁକ୍ତା ଯୋଜନା ଗୋଟିଏ । ଏହି ଯୋଜନାର ସୁଫଳ ସଂପର୍କରେ କହୁଥିଲା ବେଳେ ମୁଖ୍ୟମନ୍ତ୍ରୀଙ୍କ ପାଟିରେ ବାଟୁଳି ବାଜୁ ନଥିଲା ।

ମାତ୍ର ଦିନକୁ ଦିନ ମୁକ୍ତା ଯୋଜନାର ବିଫଳତା କ୍ଷମତାସୀନ ଦଳର ଦୋଷ ଦୁର୍ବଳତାକୁ ପଦାରେ ପକାଇଛି । ମୟୁରଭଞ୍ଜାର ଉଦଳା ଅଂଚଳରେ ମୁକ୍ତା (ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ) ଯୋଜନା ସ୍ଥାନୀୟ ଲୋକଙ୍କୁ ନିରାଶ କରିଛି ।

ପୌରାଂଚଳ ଓ ସହରାଂଚଳରେ ଗରିବ ଲୋକଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା; ମାତ୍ର ସରକାରୀ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ କାରଣରୁ ତାହା ବିଫଳ ହୋଇଛି ।

ଏହି ଯୋଜନାରେ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି ଯାହାର ଫାଇଦା କେବଳ ସରକାରୀ ବାବୁ ଓ ଠିକାଦାର ପାଇଛନ୍ତି । ମୁକ୍ତା ଯୋଜନାରେ ସହରକୁ ସାଧବବୋହୁ ବେଶରେ ସଜାଇ ଦିଆଯାଉଛି; ଅବହେଳିତ ଜଳାଶୟକୁ ଆଧୁନିକ ରୂପ ଦିଆଯାଉଛି; ରାସ୍ତାକୁ ଆହୁରି ଚିକ୍କଣ, ଓସାରିଆ କରି ଦିଆଯାଉଛି ।

ସୂଚନା ମୁତାବକ ଉଦଳା ମ୍ୟୁନିସିପାଲିଟିର ୧୨ଟି ଯାକ ୱାର୍ଡରେ ପାନୀୟ ଜଳ ଯୋଗାଣ ପାଇଁ ଯଥାବିଧି ପଦକ୍ଷେପ ଆରମ୍ଭ କରାଯାଇଥିଲା । ସମୟ କ୍ରମେ ଅଧିକାଂଶ କାମ ଏବେ ଅଧାପନ୍ତରିଆ ହୋଇ ରହିଛି । ଧର୍ମକୁ ଆଖିଠାର ମାରି ଯୋଉ କାମଗୁଡ଼ିକ କରାଯାଇଛି; ତାହା ଲୋକଙ୍କ ଦୈନନ୍ଦିନ କାମରେ ଲାଗୁନି ।