‘ପ୍ରିୟ ଖବର’ର ଅପ୍ରିୟ ଦୃଷ୍ଟିକୋଣ

ଭୁବନେଶ୍ୱର ଜୟଦେବ ଭବନରେ ପାଳିତ ହୋଇଯାଇଛି ଦୈନିକ ଖବର କାଗଜ ‘ପ୍ରିୟ ଖବର’ର ଦଶମ ସ୍ୱନକ୍ଷତ୍ର ଦିବସ । ଜଣେ ବନ୍ଧୁଙ୍କ ଅନୁରୋଧ କ୍ରମେ ସେଠାକୁ ଯାଇ ‘ପ୍ରିୟ ଖବର’ର ଅପ୍ରିୟ ଦୃଷ୍ଟିକୋଣଙ୍କୁ ଅଙ୍ଗେ ନିଭାଇବାର ସୁଯୋଗ ପାଇଲି ।

ଖବର କାଗଜଟିର ସ୍ୱନକ୍ଷତ୍ର ଉତ୍ସବଟି ମୋତେ ଗୋଟିଏ ଦଳୀୟ ସମାବେଶ ଭଳି ପ୍ରତୀୟମାନ ହେଲା । ସଭାମଂଚକୁ ଗୌରବାନ୍ୱିତ କରିଥିବା ପ୍ରତିଟି ଚରିତ୍ର ଗୋଟିଏ ନିର୍ଦ୍ଧିଷ୍ଟ ଦଳକୁ ପ୍ରତିନିଧିତ୍ୱ କରୁଥିଲେ । ମଂଚାସୀନ ଅତିଥିମାନେ ପରସ୍ପରକୁ ପ୍ରଶଂସାରେ ପୋତି ପକାଉଥିଲେ ।

ଜୟ ଜଗନ୍ନାଥ ହେଉ କି ଜୟ ଶ୍ରୀ ଜଗନ୍ନାଥ । ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ‘ପ୍ରିୟ ଖବର’ ଅପ୍ରିୟ କଳେବର ଦେଖିବାର ସୁଯୋଗ ପାଇଲି କାରଣ ‘ପ୍ରିୟ ଖବର’ଟିର ଗୁଣଗ୍ରାହୀ ପାଠକ ଏତେ ବେଶି ଯେ ପ୍ରେସରୁ ବାହାରି ଜୟଦେବ ଭବନ ପଛପଟ ପୁସ୍ତକାଳୟ ନିକଟରେ ଖବର କାଗଜ ଗାଡ଼ି ପହଂଚିବା ବେଳକୁ କେବଳ ସଂପାଦକଙ୍କ ପାଇଁ ଗୋଟିଏ କପି ରହିଯାଏ ।

ଯାହା ହେଉ ପ୍ରିୟ ଖବର’ଟିର ସ୍ୱତନ୍ତ୍ର ବିଶେଷାଙ୍କ କପିଟିଏ ହାତରେ ପଡ଼ିଲା । ୧୨ ପୃଷ୍ଠା ବିଶିଷ୍ଟ ସ୍ୱତନ୍ତ୍ର ବିଶେଷାଙ୍କଟିର ସଂପାଦକୀୟ ଓ ଅନ୍ୟାନ୍ୟ ଖବରଗୁଡ଼ିକ ଉପରେ ଆଖି ବୁଲାଇ ଆଣିଲି ।

ମଂଚ ଉପରେ ‘ପ୍ରିୟ ଖବର’ ସଂପାଦକ ମହୋଦୟଙ୍କର ହତାଶିଆ ଚେହେରା ସହିତ ଖବର କାଗଜଟିର କଳେବର ଭିତରେ କିଛି ଫରକ ଦେଖିବାକୁ ପାଇଲିନି । ମତେ ଲାଗୁଥିଲା ସଂପାଦକ ବାବୁ ମଂଚାସୀନ ଅତିଥିଙ୍କ ଆଗରେ ତାଙ୍କ ପୁଅ ପାଇଁ ଗୋଟିଏ ଦଳୀୟ ଟିକେଟ୍‌ ମାଗୁଥିଲେ ଓ ଖବର କାଗଜଟିକୁ କୂଳରେ ଲଗାଇବା ସରକାରଙ୍କ ଅନୁକମ୍ପା କାମନା କରୁଥିଲେ ।

ଏତେସବୁ ବଖାଣିବା ପଛରେ ଆମେ ଏତିକି ଜଣାଇବାକୁ ଚାହୁଁ, ‘ପ୍ରିୟ ଖବର’ ମଂଚରେ ବସିଥିବା ଧରଣୀଧରଙ୍କ ଭିତରୁ କୌଣସି ଜଣକ ନିକଟରେ ସ୍ୱାଧିନ ପ୍ରାର୍ଥୀଟିଏ ହୋଇ ଜିତିବାର ଦକ୍ଷତା ନାହିଁ । ମଂଚରେ ବସିଥିବା ପ୍ରତିଟି ଚରିତ୍ର ତାଙ୍କ ଦଳର ମୁଖିଆଙ୍କ ଦୟାର ପାତ୍ର ।

ଦମ୍‌ ଥିଲା ତ ବିଜେଡି ମୁଖିଆଙ୍କୁ ମଂଚରେ ବସାଇ ପୁଅ ପାଇଁ ଦଳୀୟ ଟିକେଟ୍‌ ମାଗିଥାନ୍ତ; ତା’ ହେଲେ ପୁଅ କାନ୍ଧରେ ଖବର କାଗଜଟିକୁ ବସାଇ ଆରାମରେ ବାକି ଜୀବନଟିକୁ କଟାଇ ଦେଇଥାନ୍ତ । ପୁଳାଏ ଅଗାଡ଼ିଙ୍କୁ ଏକାଠି ବସାଇ କୋଉ ବାହାଦୁରି?

ସ୍ରୋତର ପ୍ରତିକୂଳରେ ଗତି କରୁଥିବା କାଠି କାହାର ଦୟାର ପାତ୍ର ହୋଇପାରେନା । ସମୟ ସୁଅରେ ଓଡ଼ିଶାର ଗଣମାଧ୍ୟମ କ୍ଷମତାସୀନ ଦଳର ଚାଟୁକାର ହୋଇସାରିଲାଣି । ଏପରି ସମୟରେ ‘ପ୍ରିୟ ଖବର’ ନିକଟରୁ ନିରପେକ୍ଷ ଖବର ଆଶା କରିବା ବୃଥା ।