ନୟାଗଡ଼ରେ ୩୩ ଫୁଟ ଉଚ୍ଚତାର ହନୁମାନ

ନୟାଗଡ଼: ପ୍ରଭୁ ହନୁମାନଙ୍କ ଜୟନ୍ତୀ ଅବସରରେ ନୟାଗଡ଼ ଜିଲ୍ଲାର ଏକ ଗ୍ରାମରେ ୩୩ ଫୁଟ ଉଚ୍ଚତା ବିଶିଷ୍ଟ ମହାବୀରଙ୍କ ପ୍ରତିମା ପ୍ରତିଷ୍ଠା କରାଯାଇଛି । ରବିବାର ଅପରାହ୍ଣରେ ଗଣିଆ ବ୍ଲକ ଅଧିନସ୍ଥ କିଶୋରପ୍ରସାଦ ଗ୍ରାମରେ ମହା ସମାରୋହରେ ଏହି ଧାର୍ମିକ କାର୍ଯ୍ୟଟି ସମ୍ପାଦିତ ହୋଇଥିଲା ।

ମହାନଦୀରୁ କଳସରେ ପାଣି ସଂଗ୍ରହ ପରେ କଳସ ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା । ସେହି ଜଳରେ ଅଙ୍କୁରାରୋପଣ କରାଯାଇଥିଲା । ସକାଳୁ ସୂର୍ଯ୍ୟଦେବତାଙ୍କୁ ଆବାହନ କରାଯିବା ପରେ ମହାବୀରଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା । ପରେ ପୂର୍ଣ୍ଣାହୁତି ହୋଇଥିଲା ।

ଏହି ଅବସରରେ ୧୦୮ ବାର ହନୁମାନ ଚାଳିଶା ପାଠ କରାଯାଇଥିଲା । ବାତାବରଣଟି ‘ଜୟ ଶ୍ରୀରାମ’ ଗୁଞ୍ଜରଣରେ ପୁରି ଉଠିଥିଲା ।