ମୃତ୍ୟୁର ଅନୁଭୂତି କହୁଛନ୍ତି ଅଙ୍ଗେଲିଭା

ଯମକୋଳରୁ ଫେରିଲା ଭଳି ଲାଗୁଛି

‘ଶରୀରରୁ ଆତ୍ମାଟି ବାହାରି ଚାଲି ଯାଉଥିବାର ଦେଖିଲି । ଅଟକାଇବାକୁ ଚେଷ୍ଟା କରି ପାରୁ ନଥିଲି । ମୋ ଚାରିପାଖରେ ପୁଅଝିଅ ପତ୍ନୀ କାନ୍ଦୁଥିବାର ଶୁଣୁଥିଲି । କିନ୍ତୁ କିଛି କହି ପାରୁ ନଥିଲି । ଅତୀତ ଘଟଣା ଗୁଡ଼ାକ ସିନେମା ପରି ଆଖି ଆଗରେ ନାଚି ଯାଉଥିଲା ।’ ଏମିତି ବହୁତ କିଛି ବଖାଣିଛନ୍ତି ମାରାତ୍ମକ ଦୃଦଘାତ କବଳରୁ ତ୍ରାହି ପାଇ ଯାଇଥିବା କିଛି ଲୋକ ।
ନିକଟରେ ପ୍ରକାଶିତ ଏକ ସର୍ବେକ୍ଷଣ ରିପୋର୍ଟ ଆମକୁ ‘ମୃତ୍ୟୁର ଅନୁଭୂତି’ ସଂପର୍କରେ ଅବଗତ କରିଛି । ମୃତ୍ୟୁ ପରବର୍ତୀ ଘଟଣାକୁ ବିଜ୍ଞାନ ବିଶ୍ୱାସ କରେନା । ପ୍ରେତଲୋକ ଯମଲୋକ ସ୍ୱର୍ଗଲୋକ ପାତାଳଲୋକ ବିଷୟକୁ ବୈଜ୍ଞାନିକମାନେ ହସି ଉଡ଼ାଇ ଦେଉଥିଲେ । ମାତ୍ର ହୃଦଘାତର ଶିକାର ପରେ ପିସିଆର ସହାୟତାରେ ଜୀବନ ଫେରି ପାଇଥିବା କିଛି ଲୋକଙ୍କୁ ସର୍ବେକ୍ଷଣ ଅନ୍ତର୍ଭୁକ୍ତ କରିବା ପରେ ଗବେଷକ ଗୋଷ୍ଠୀ ନୂଆ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ନ୍ୟୁୟର୍କ ସ୍ଥିତ ଗ୍ରୋସମେନ୍‌ ସ୍କୁଲ ଅଫ୍‌ ମେଡିସିନ୍ସର କିଛି ଗବେଷକ ‘ମୃତ୍ୟୁ ପରେ ଜୀବନ’ ଉପରେ ଗବେଷଣା କରୁଥିଲେ ।

ଗବେଷକମାନେ ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ତିନିବର୍ଷ ଭିତରେ ୫୬୭ ରୋଗୀଙ୍କୁ ସାମିଲ କରିଥିଲେ । ରୋଗୀଙ୍କ ଶ୍ୱାସକ୍ରିୟା ବନ୍ଦ ହେବାପରେ ସେମାନଙ୍କୁ ସିପିଆର ଜରିଆରେ ଜୀବିତ କରାଯାଇଥିଲା । ସର୍ଭେରେ ସାମିଲ ସବୁ ରୋଗୀ ଆମେରିକା ଓ ଇଂଲଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ରୋଗୀମାନେ କହିଛନ୍ତି ସିପିଆର ଲଗାଯିବା ପରେ ସେମାନଙ୍କ ଆଖିକୁ ସବୁକିଛି ସ୍ପଷ୍ଟ ଦିଶୁଥିଲା । ଉଚ୍ଚାସ୍ଥାନରୁ ଖସୁଥିବା ଲୋକମାନେ, ମରଣାନ୍ତକ ଆକ୍ରମଣ ଓ ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ ମୃତ୍ୟୁକୁ ଅତି ନିକଟରୁ ଅନୁଭବ କରିଥିବା କଥା କହିଛନ୍ତି ।
ସା

ଧାରଣତଃ ସିପିଆର ଲଗାଇ ଦିଆଯିବା ପରେ ମସ୍ତିଷ୍କ ଏକଘଂଟା ପର୍ଯ୍ୟନ୍ତ ସକ୍ରିୟ ରହିଥାଏ । ସେହି ସମୟରେ ରୋଗୀ ମୁହଁରୁ ବହୁ ରୋମାଚଂକ କଥା ଶୁଣିବାକୁ ମିଳିଥାଏ । ଜଣେ ରୋଗୀ କହିଥିଲେ, ସିପିଆର ଦିଆଯିବା ପରେ ସେ ନିଜକୁ ଏକ ଅନ୍ଧାରିଆ ସ୍ଥାନରେ ଠିଆ ହୋଇ ପରମ ଶାନ୍ତି ଅନୁଭବ କରୁଥିଲେ । ବାଲ୍ୟକାଳରୁ ଯୌବନ ପର୍ଯ୍ୟନ୍ତ ପ୍ରତ୍ୟେକଟି ଘଟଣା ତାଙ୍କ ଆଖି ଆଗରେ ନାଚି ଯାଉଥିଲା । ଏମିତି କି ଠୁକୁଠୁକୁ ହୋଇ ସ୍କୁଲ ଯାଉଥିଲା ବେଳେ କେତେଥର ପଡ଼ିଥିଲେ ସେ ଚିତ୍ର ଆଖିକୁ ଜଳଜଳ ଦିଶୁଥିଲା ।

ଗବେଷକମାନେ କହିଛନ୍ତି, ସିପିଆର ଲଗାଇ ଦିଆଯିବା ଫଳରେ ରୋଗୀମାନେ ନିଶ୍ଚଳ ହୋଇ ପଡ଼ିରହନ୍ତି । କିନ୍ତୁ ସେମାନଙ୍କ ଚାରିପାଖରେ ଘଟୁଥିବା ପ୍ରତ୍ୟେକଟି ଘଟଣା ଶୁଣିପାରନ୍ତି, ଅନୁଭବ କରିପାରନ୍ତି ଓ ଜାଣିପାରନ୍ତି । ସିପିଆର ସହାୟତାରେ କିଛି ସମୟ ଚେତା ଫେରି ପାଇଥିବା ପ୍ରତି ୧୦ ଜଣ ରୋଗୀଙ୍କ ଭିତରୁ ଚାରିଜଣଙ୍କ ମୁହଁରୁ ମୃତ୍ୟୁର ଅନୁଭୂତି ଶୁଣିବାକୁ ମିଳିଥିଲା ।