ମାଘ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶ

ପୁରୀ: ଆଜି ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ପୁରୀ ଶ୍ରୀମନ୍ଦିରରେ ବିରାଜିତ ମହାପ୍ରଭୁ ଜଗନ୍ନାଥଙ୍କର ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ । ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଗଜ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବେ ।
ରୀତିନୀତି ଅନୁସାରେ ମଧ୍ୟାହ୍ନ ଧୂପ ପରେ ମଇଲମ କରାଯିବା ପରେ ସିଂହାରୀ ସେବକ ମହାପ୍ରଭୁଙ୍କୁ ଗଜ ଉଦ୍ଧାରଣ ବେଶରେ ସଜାଇ ଦେଇଥାନ୍ତି । ସାହାଣ ମେଲା ଦର୍ଶନ ପରେ ମହାସ୍ନାନ କରାଯାଏ, ଶ୍ରୀଜୀଉମାନଙ୍କର ଅନ୍ୟାନ୍ୟ ନୀତି ପାଳନ କରାଯାଏ ।
ଏହି ବେଶରେ ମହାପ୍ରଭୁ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଗରୁଡ଼ ପିଠିରେ ବସିଥାନ୍ତି ଓ ତାଙ୍କ କୋଳରେ ମା’ ମହାଲକ୍ଷ୍ମୀ ବିରାଜମାନ କରିଥାନ୍ତି ।
ବଡ଼ଭାଇ ବଳଭଦ୍ର ଶଙ୍ଖ, ଚକ୍ର, ହଳ ଓ ମୂଷଳ ଧରି ବାସୁଦେବକୁ ଧାରଣ କରିଥାନ୍ତି । ମା’ ସୁଭଦ୍ରା କୃଷ୍ଣଙ୍କ ଭଳି ପାଦକୁ ଛନ୍ଦି ହାତରେ ପଦ୍ମକଢ଼ି ଧରି ବିରାଜିତ ହୋଇଥାନ୍ତି । ଏହିଦିନ ଶ୍ରୀଲୋକନାଥ ମନ୍ଦିରରେ ମହାଦେବଙ୍କର ପଦ୍ମବେଶ କରାଯାଇଥାଏ ।