‘କେହି ନିଜର ଶରୀରକୁ ଜଳାଇବାକୁ ଚାହେଁ?’

ମୁଜାଫରନଗର: ୟୁପିର ଜଣେ ଚାଷୀ ତାଙ୍କ ଛାତିତଳର ବ୍ୟଥାକୁ ଏପରି ପରିପ୍ରକାଶ କରିଛନ୍ତି । ‘ଆଙ୍ଗୁଠିରେ ଟିକିଏ ନିଅାଁଧାସ ବାଜିଗଲେ ମଣିଷ ଯନ୍ତ୍ରଣାରେ ଚିକ୍ରାର କରିଥାଏ ।

ନିଜ ଶରୀରକୁ ଜଳାଇବା ଆଦୌ ଶୋଭନୀୟ ନୁହେଁ । କିନ୍ତୁ ଆମେମାନେ ବାଧ୍ୟ ହେଉଛୁ କାରଣ ଆମେ ଚାଷୀ’ । ଏହି ମନ୍ତବ୍ୟ ପ୍ରଦାନ କରିଛନ୍ତି ୬୧ ବର୍ଷୀୟ ଚାଷୀ ବ୍ରିଜପାଲ ସିଂ ।

ଭାରତୀୟ କିଷାନ ୟୁନିୟନ ଡାକରାରେ ରାସ୍ତାକୁ ଓହ୍ଲାଇଥିବା ଚାଷୀ ବ୍ରିଜପାଲ ମୁଜାଫରନଗରରେ ଆତ୍ମଦାହ କରିବାକୁ ବସିଥିଲେ ।ଲୋତକଭରା ଆଖିରେ ବ୍ରିଜପାଲ ଗଣମାଧ୍ୟମକୁ କହିଛନ୍ତି ଯେ ସେ ବ୍ୟାଙ୍କ ଋଣ ଚିନ୍ତାରେ ଦିନରାତି ଘାରି ହୋଇ ଆତ୍ମଦାହ ଉଦ୍ୟମ କରିଥିଲେ ।

ତାଙ୍କ ସୂଚନା ମୁତାବକ, ଅମର ପାଲ ନାମକ ଜଣେ ବ୍ୟକ୍ତି ନିଜକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଫିଲ୍ଡ ଅଧିକାରୀ ପରିଚୟ ଦେଇ ବ୍ୟାଙ୍କରୁ ଟ୍ରାକ୍ଟର ଋଣ କରାଇଦେବ ବୋଲି କହିଥିଲା । ଟ୍ରାକ୍ଟରଟିର ମୂଲ୍ୟ ସାଢ଼ ସାତଲକ୍ଷ ଥିଲା । ବ୍ରିଜପାଲଙ୍କ ନିକଟରେ ୫ ଲକ୍ଷ ଥିଲା ଓ ସେ ବ୍ୟାଙ୍କରୁ ମାତ୍ର ଅଢେ଼ଇ ଲକ୍ଷ ଟଙ୍କା ଋଣ ଚାହୁଁଥିଲେ ।

ଅମର ପାଲ ତାଙ୍କ ମନରେ ବିଶ୍ୱାସ ଜନ୍ମାଇ ୫ ଲକ୍ଷ ଟଙ୍କା ନେଇଗଲେ । ଯଥା ସମୟରେ ବ୍ରିଜପାଲଙ୍କ ଘର ଆଗରେ ଟ୍ରାକ୍ଟର ଠିଆ ହେଲା । କିଛିଦିନ ଭିତରେ ସେ ବ୍ୟାଙ୍କ ଋଣ ବାବଦକୁ ଅଢେ଼ଇ ଲକ୍ଷ ଟଙ୍କା ଓ ସୁଧ ପରିଶୋଧ କରିଦେଲେ ।ମାତ୍ର ନିକଟରେ ତାଙ୍କ ନିକଟକୁ ବ୍ୟାଙ୍କ ପକ୍ଷରୁ ୫.୬୩ ଲକ୍ଷ ଟଙ୍କା ପରିଶୋଧ କରିବାକୁ ନୋଟିସ୍‌ ପଠାଯାଇଥିଲା ।

ବ୍ୟାଙ୍କ ନୋଟିସ ଦେଖି ବ୍ରିଜପାଲ ଚିନ୍ତାରେ ପଡ଼ିଗଲେ । ସବୁ ଟଙ୍କା ପରିଶୋଧ ପରେ ମଧ୍ୟ ବ୍ୟାଙ୍କ ନୋଟିସ ଦେଖି ତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଗଲା ।ଅଭିଯୁକ୍ତ ଅମର ପାଲ ତାଙ୍କୁ ଫସାଇ ଦେଇଥିବା କଥା ଜାଣିବା ପରେ ବ୍ରିଜପାଲଙ୍କ ନିକଟରେ ଆତ୍ମଦାହ ଛଡ଼ା ଅନ୍ୟ ବାଟ ନ ଥିଲା ।

ସରକାରଙ୍କ ତ୍ରୁଟିପୂର୍ଣ୍ଣ ଚାଷ ଓ ଚାଷୀ ନୀତି କାରଣରୁ ଶହଶହ ବ୍ରିଜପାଲ ଋଣଚିନ୍ତାରୁ ମୁକୁଳି ପାରୁନାହାନ୍ତି ।